Unknown

 

 

 

 

 

 

 

 

 

 

ବ୍ରାଞ୍ଚ୍‌ ମ୍ୟାନେଜର

ଗୁଇନ୍ଦା ସାହେବ୍‌

 

–ଏକ–

 

ଥାର୍ଡ଼ ବେଲ୍‌ ହେବା ସଙ୍ଗେ ସଙ୍ଗେ ଷ୍ଟେସନଟି କୋଳାହଳ ମୁଖର ହୋଇପଡ଼ିଲା । ଅଳ୍ପ କେତେ ସେକେଣ୍ଡ ମଧ୍ୟରେ ଡାଉନ୍‌ ମାନ୍ଦ୍ରାଜମେଲ୍‌ ପଶିଆସିଲା ପ୍ଳାଟ୍‌ଫର୍ମ ଭିତରକୁ, ଆପଣାର ଘୋର ଗର୍ଜ୍ଜନରେ ସମସ୍ତ କୋଳାହଳକୁ ଦବାଇ ଦେଇ । ଗାଡ଼ି ଠିଆହେବା ସଙ୍ଗେ ସଙ୍ଗେ ଯାତ୍ରୀମାନେ କାର୍ଯ୍ୟବ୍ୟସ୍ତ ହୋଇପଡ଼ିଲେ ।

ଷ୍ଟେସନର ଗୋଟିଏ ଅନ୍ଧାରୁଆ, ନିରୋଳା ଥାନାରେ ଠିଆ ହୋଇଥିଲେ–ବିଖ୍ୟାତ ଡିଟେକ୍‌ଟିଭ ମି: ଚୌଧୁରୀ । ବଡ଼ ସନ୍ଧାନୀ ଦୃଷ୍ଟିରେ ସେ ଅନୁସନ୍ଧାନ କରୁଥିଲେ ଗାଡ଼ିର ଏ ମୁଣ୍ଡରୁ ସେ ମୁଣ୍ଡଯାଏ । ହଠାତ୍‌ ତାଙ୍କ ଆଖିପଡ଼ିଲା ଫାଷ୍ଟକ୍ଳାସ୍‍ କମ୍ପାଟମେଣ୍ଟ ଦୁଆରେ ଛିଡ଼ା ହୋଇଥିବା ଜଣେ ଭଦ୍ରଲୋକଙ୍କ ଉପରେ । ଭଦ୍ରଲୋକଙ୍କ ପରିଧାନ ମୂଲ୍ୟବାନ ଓଭରକୋଟ୍‍, ସୁଟ୍‌ । କଳାରଙ୍ଗର ଫେଲ୍‌ଟ୍‌ କ୍ୟାପ୍‌ଟାକୁ ଅସ୍ୱାଭାବିକ ରକମର ମୁହଁ ଉପରକୁ ଟାଣି ସେ ବି ଖୋଜୁଥିଲେ କାହାକୁ ଯେପରି । ମୁହଁଟା ତାଙ୍କର ଫେଲ୍‌ଟ୍‌ର ଛାଇ ଅନ୍ଧାରରେ ଘୋଡ଼େଇ ହୋଇଯାଇଥିଲା ।

ପନ୍ଦରମିନିଟ୍‌ ପରେ...

ଭୁଷ୍‌ ଭୁଷ୍‌ ଗର୍ଜନ କରି ଗାଡ଼ି ଛୁଟିଚାଲିଲା ଆଗକୁ । ମି: ଚୌଧୁରୀ ହତାଶାର ଦୀର୍ଘଶ୍ୱାସ ଛାଡ଼ି ମନକୁ ମନ କହି ପକାଇଲେ–‘ଶରତ୍ ଆସି ପାରିଲା ନାହିଁ ଆଜି ତେବେ ।’ ପରକ୍ଷଣରେ ଚମକି ପଡ଼ିଲେ ସେ । ‘କିନ୍ତୁ କାହିଁ କି ? ଆଜି ମାନ୍ଦ୍ରାଜରୁ ସେ ଟେଲିଗ୍ରାମ୍‌ କରି ଜଣାଇଛି । ଭୁଲ ତ ତା’ର ପ୍ରାୟ କେବେ ହୁଏନା । ତେବେ କ’ଣ କିଛି.....’ । ଆଉ ଭାବିପାରିଲେ ନାହିଁ ସେ; ଆଶଙ୍କାରେ ମନଟା ଭାରୀ ହୋଇଉଠିଲା ତାଙ୍କର ।

ହାତ ଘଡ଼ିରେ ଦୁଇଟା ବାଜି ଦଶମିନିଟ୍‌ ହୋଇଥିଲା ସେତେବେଳକୁ । ଧୀରେ ଧୀରେ ସେ ଗେଟ୍‌ ପାରିହୋଇ ଚାଲିଆସିଲେ । ବାହାରକୁ । ଷ୍ଟେସନର ଲୋକଗହଳି ବହୁତ କମିଗଲାଣି । ମି: ଚୌଧୁରୀ ମଟର ସାଇକେଲରେ ଷ୍ଟାର୍ଟ ଦେଇ ଘରମୁହାଁ ଛୁଟାଇଦେଲେ ପୂରା ବେଗରେ ।

ସହକାରୀ ଶରତ୍‍ର ଆଜି ନ ଆସିବାଟା ତାଙ୍କର କ୍ଳାନ୍ତ ମନ ଉପରେ ଚାପିହୋଇ ତାଙ୍କୁ ଅଧିକ ବିରସ କରିଦେଇଥିଲା ।

ଅଳସ ଆଖିପତା ତଳେ ବହଳ ନିଦ ଲାଗିଆସୁଥିଲା ମି: ଚୌଧୁରୀଙ୍କର, ଏତିକି ବେଳେ ଟେଲିଫୋନ୍‌ଟା ଝଣ ଝଣ କରି ବାଜି ଉଠିଲା । ମି: ଚୌଧୁରୀ ଧଡ଼୍‌ କରି ଉଠିଯାଇ ଫୋନ ଧରିନେଲେ । ଶରତ୍‌ କିଛି ଖବର ଦେଇଛି କି ଆଉ ! ପ୍ରକୃତରେ ନିଜର କର୍ତ୍ତବ୍ୟନିଷ୍ଠ ସହକାରୀଟିପାଇଁ ବଡ଼ ଚିନ୍ତିତ ଥିଲେ ସେ ।

‘‘ହ୍ୟାଲୋ.......’’

‘‘ମୁଁ ଏସ୍‌.ପି. କହୁଛି.....’’

‘‘ନମସ୍କାର ସାର୍‌ ! କହନ୍ତୁ ଆଜ୍ଞା ?’’

‘‘ଘଟଣା ବଡ଼ ସାଂଘାତିକ ମି: ଚୌଧୁରୀ । ନିର୍ଗୁଣ୍ଡି ଷ୍ଟେସନରେ ଗୋଟାଏ ଖୁଣ୍‌ ହୋଇଯାଇଛି ମାଡ୍ରାସ ମେଲରେ । ଆପଣ ମୋ କୋଠିବାଟେ ଗାଡ଼ି ନେଇ ଆସନ୍ତୁ । ବର୍ତ୍ତମାନ ସେଠିକୁ ଯିବାକୁ ହେବ ।’’

‘‘ଆଜ୍ଞା ! ଦଶମିନିଟରେ ଆସୁଛି ।’’

ରିସିଭରଟା ରଖି ଯଥାଶୀଘ୍ର ନିଜକୁ ସଜାଡ଼ି ନେଇ ପିସ୍ତଲଟି ପକେଟରେ ପୂରାଇଲେ ମି: ଚୌଧୁରୀ । କଳା ଓଭର କୋଟ୍‌ର କଲରଟାକୁ ପୁଣି ଥରେ ସଜାଡ଼ି ନେଇ ବାହାରି ପଡ଼ିଲେ ।

ଗ୍ୟାରେଜ୍‌ ଖୋଲି ଗାଡ଼ିରେ ଷ୍ଟାର୍ଟ ଦେଲେ ମି: ଚୌଧୁରୀ । ସାମାନ୍ୟ ଗର୍ଜନକରି ଷ୍ଟାର୍ଟଟା ବନ୍ଦ ହୋଇଗଲା । ପୁଣିଥରେ ଚେଷ୍ଟା କଲେ । ଠିକ୍‌ ସେଇୟା । ନାଃ, ଆଉ ୟା ସାଥିରେ ସମୟ ନଷ୍ଟ ନ କରିବାହିଁ ଉଚିତ୍‌ ! ବିରକ୍ତିରେ ବାହାରି ଆସିଲେ । ଚଟାପଟ୍‌ ରିକ୍‌ସା ଖଣ୍ଡିଏ କରି ଚାଲିଲେ ଏସ୍‌.ପି. ସାହେବଙ୍କ କୋଠି ଅଭିମୁଖରେ । ବାଟରେ ଭାବୁଥିଲେ କେବଳ ନିଜର ଗାଡ଼ି କଥା । ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ଫେରି ଭଲ ଅବସ୍ଥାରେ ଗାଡ଼ି ରଖିଛନ୍ତି । ସେ ହଠାତ୍‌ କ’ଣ ଏମିତି ହେଲା !

ଏସ୍‌.ପି. ସାହେବଙ୍କ କୋଠିରେ ପହଞ୍ଚିଲା ବେଳକୁ ସେ ବି ପ୍ରସ୍ତୁତ ହୋଇ ସାରିଥିଲେ । ମି: ଚୌଧୁରୀଙ୍କୁ ଦେଖି ଏସ୍‌.ପି. କହି ପକାଇଲେ–ଆପଣ ବଡ଼ ଡେରି କଲେ ମି: ଚୌଧୁରୀ ! ମୁଁ ଷ୍ଟେସନମାଷ୍ଟରଙ୍କୁ ଫୋନ କରି ଗାଡ଼ି ଅଟକାଇବାକୁ କହିଛି । ଚାଲନ୍ତୁ ଚାଲନ୍ତୁ, ଆଉ ଡେରି କରିବା ଠିକ୍‌ ନୁହେଁ ।

ଖରାଦିନିଆ ରାସ୍ତା ଦେଇ କାର୍‌ ଛୁଟି ଚାଲିଲା ଷାଠିଏ ମାଇଲ ସ୍ପିଡରେ ।

Image

 

–ଦୁଇ–

 

ନିର୍ଗୁଣ୍ଡି ଷ୍ଟେସନ । ରାତ୍ରିର ନିରବତା ସାଥିରେ ସମତାରଖି ଠିଆ ହୋଇଛି ମାଡ୍ରାସମେଲ୍‌ ନିର୍ଜୀବ ରାକ୍ଷସ ପରି । କାଁ ଭାଁ ଜଣେ ଦି ଜଣ ପ୍ୟାସେଞ୍ଜର ଦରଜା ନିକଟରେ ଛିଡ଼ାହୋଇ ଚାହିଁଛନ୍ତି । ଅଶାନ୍ତ ନିର୍ଜନତା ଘେରି ରହିଛି ଷ୍ଟେସନର ବାୟୁମଣ୍ଡଳରେ ।

ଫାଟକ ନିକଟରେ ଗାଡ଼ି ବ୍ରେକ୍‌ କରି ଓହ୍ଲାଇ ପଡ଼ିଲେ ଏସ୍‌.ପି. ମି: ରାୟ ଆଉ ବିଖ୍ୟାତ ଡିଟେକ୍‌ଟିଭ୍‌ ମି: ଚୌଧୁରୀ । ଅଭିବାଦନ ଜଣାଇ ଷ୍ଟେସନ ମାଷ୍ଟର ନେଇଗଲେ ସେମାନଙ୍କୁ ଖୁନ୍‌ ହୋଇଥିବା କମ୍ପାଟମେଣ୍ଟ ନିକଟକୁ । କମ୍ପାଟମମେଣ୍ଟ ଦୁଆରେ ଜଗୁଆଳି ଜି. ଆର୍‌. ପି. ପୋଲିସ୍‌ ଦି’ ଜଣ ସାଲ୍ୟୁଟ୍‌ ବଜାଇ ବାଟରୁ ଆଡ଼ ହୋଇଗଲେ । କମ୍ପାଟମେଣ୍ଟଟିକୁ ଦେଖି ଚମକି ପଡ଼ିଲେ ମି: ଚୌଧୁରୀ । ଏ ତ ସେଇ କମ୍ପାଟମେଣ୍ଟ, କଟକଠାରେ ସେ କଳା ସୁଟ୍‍ ପିନ୍ଧା ଭଦ୍ରଲୋକଙ୍କୁ ତ ୟାରି ଦୁଆରେ ଠିଆ ହୋଇଥିବାର ଦେଖିଥିଲେ । ତେବେ ସେ ଭଦ୍ରଲୋକ କ’ଣ ଖୁନ୍‌ ହୋଇଛନ୍ତି-? ମନରେ ଏକ ବିରାଟ ପ୍ରଶ୍ନ ନେଇ ସେଇ କମ୍ପାଟମେଣ୍ଟ ଭିତରକୁ ପଶିଗଲେ ।

ଭିତରେ....ଖୁନ୍‌ ହୋଇଛି ସତ; କିନ୍ତୁ ସୁଟ୍‌ପିନ୍ଧା ଭଦ୍ରଲୋକଙ୍କର ନୁହେଁ, ଧୋତି ପଞ୍ଜାବୀ ପିନ୍ଧା ଭଦ୍ରଲୋକଙ୍କର । ଚେହେରା ପୂରାପୂରି ଅବିକୃତ ରହିଛି । ଭଦ୍ରଲୋକ ବେଞ୍ଚର ଗୋଟିଏ କଡ଼କୁ ଟଳିପଡ଼ିଛନ୍ତି । ବହୁତ ଖାନ୍‌ତଲାସୀ ପରେ ବି କିଛି ଜିନିଷ ମିଲିଲା ନାହିଁ, କେବଳ ଛାତି ପକେଟରୁ ଖଣ୍ଡିଏ କାର୍ଡ଼ ବାହାରିଲା । ସେଥିରେ ଲେଖାଅଛି–ରାଧାମାଧବ ବୋଷ, ଜୁୟେଲାର୍ସ, ବହୁବଜାର ଷ୍ଟ୍ରୀଟ୍‌, କଲିକତା । ସେ ଖଣ୍ଡି ଯତ୍ନରେ ପକେଟରେ ପୂରାଇଲେ ମି: ଚୌଧୁରୀ । ମନଟା ତାଙ୍କର ହତାଶ ହୋଇ ପଡ଼ିଲା । ଅସାମୀର ଦେହରେ କିଛି ଚିହ୍ନ ନାହିଁ, ଅଥଚ ଦେହରୁ ପ୍ରାଣ ବାହାରି ଯାଇଛି ।

ଗାର୍ଡ଼ଙ୍କଠାରୁ ଜମାନ ବନ୍ଦୀ ନେବାରେ ଜଣାଗଲା ଯେ–‘‘ନିର୍ଗୁଣ୍ଡିଠାରେ ମେଲ୍‌ ରହେନାହିଁ, କିନ୍ତୁ ଷ୍ଟେସନଠାରେ ଏ ଡବାରୁ ଚେନ୍‌ ଟାଣି ଗାଡ଼ି ଅଟକାଇ ଦିଆଗଲା । ସେ ଆସି ଦେଖନ୍ତି ତ; ଏ ଭଦ୍ରଲୋକ ଏପରି ଅବସ୍ଥାରେ । ବହୁତ ଡକାଡକି ପରେ କିଛି ଜବାବ ନ ପାଇବାରୁ ପୋଲିସ୍‌ ଡକାଗଲା । ପୋଲିସ୍‌ ଆସି ଦେଖିନ୍ତିତ ଦେହରେ ଜୀବନ ନାହିଁ ।’’

ମି: ଚୌଧୁରୀ ଭାବିଲେ–ଲୋକଟା ଆଗରୁ ମରିନାହିଁ, ଏହା ନିରାଟ ସତ୍ୟ । କାରଣ ଏ ଡବାରେ ଲୋକ ଥିଲେ–ସେ ତା’ କଟକଠାରେ ଦେଖିଛନ୍ତି । ଜଗତ୍‌ପୁରରେ ଗାଡ଼ି ରହେନାହିଁ । ପୁଣି ନିର୍ଗୁଣ୍ଡିଠାରେ ଚେନ୍‌ ଟଣା ହୋଇ ଗାଡ଼ି ଅଟକାଯାଉଛି । ଏଥିରୁ ତାଙ୍କର ସ୍ପଷ୍ଟ ଧାରଣା ହେଉଥିଲା ଯେ; ଯେଉଁ ଲୋକକୁ ସେ କଟକରେ ସୁଟ୍‌ ପୋଷାକରେ ଦେଖିଥିଲେ ସେ ପ୍ରକୃତ ହତ୍ୟାକାରୀ ।

ନିଜର କାମ ଶେଷ କରିବା ପରେ ଚେନ୍‌ ଟାଣି ଖସି ଯାଇଛି । ତେବେ ଆଖ ପାଖରେ ତା’ର ଆଡ୍‌ଡା ଅଛି ନିଶ୍ଚୟ ।

ଶବଟାକୁ ପୋଷ୍ଟମଟେମ୍‌ପାଇଁ ପଠାଇ ଦେଇ ମି:ଚୌଧୁରୀ ସାଙ୍ଗରେ ଏସ୍‌.ପି.ଙ୍କୁ ଘେନି ଫେରିଲେ । ମନଟା ତାଙ୍କର ଗୋଳମାଳିଆ ହୋଇ ଯାଇଥାଏ ।

ପୂର୍ବ ଦିଗରେ ସିନ୍ଦୂରା ଫାଟି ଆସୁଥିଲା ସେତେବେଳକୁ ।

Image

 

–ତିନି–

 

ଘରେ ପହଞ୍ଚି ନିତ୍ୟକର୍ମ ଶେଷ କରୁକରୁ ସକାଳ ସାତଟା । ଚାକର ମଧୁ ଡାକଘରୁ ଚିଠିଗୁଡ଼ିଏ ଆଣି ଥୋଇଦେଇ ଯାଇଥିଲା । କାମ ଶେଷକରି ଚିଠିଗୁଡ଼ିକ ଦେଖିବାରେ ଲାଗିଲେ ମି: ଚୌଧୁରୀ, ‘କାଳେ ଶରତ୍‍ଠାରୁ କିଛି ଖବର ଆସିଥିବ’ । ଆସିଥିଲା ବି ସେଦିନ ।

 

ବଡ଼ ଆନନ୍ଦରେ ଲଫାପାଟି ଖୋଲି ପଢ଼ିଲେ ମି: ଚୌଧୁରୀ । ‘‘ମହାଶୟ !

 

ଆପଣଙ୍କ ଆଦେଶାନୁଯାୟୀ ମାଡ୍ରାସ୍‌ ‘‘ଲକ୍ଷ୍ମୀ ହୋଟେଲ’’ରେ ଛଦ୍ମବେଶରେ ରହିଲି, କିନ୍ତୁ ଦୁଇଦିନ ପର୍ଯ୍ୟନ୍ତ କାହାରି ସନ୍ଧାନ ପାଇବାକୁ ସକ୍ଷମ ହୋଇ ପାରିଲିନାହିଁ । ତୃତୀୟ ଦିନ ଜଣେ ନୂଆ ଲୋକ ମୋର ପାଖ ରୁମରେ ରହିଲେ । ସେ ଜଣେ ଜହୁରୀ । ତାଙ୍କ ନାମ ରାଧାମାଧବ ବୋଷ । ତାଙ୍କ ଗତିବିଧିରେ ମୋର ସନ୍ଦେହ ହେବାରୁ ମୁଁ ନଜର ରଖିଲି । ସେଦିନ ରାତି ଆଠଟାବେଳେ ରାଧାମାଧବବାବୁ କେଉଁଠାକୁ ଯିବାକୁ ବାହାରିଲେ । ମୁଁ ତାଙ୍କ ଅଜଣାରେ ତାଙ୍କୁ ଅସୁସରଣ କଲି । ମେନ୍‌ ରୋଡ଼ରେ କିଛି ବାଟ ଗଲାପରେ ସେ ଗୋଟାଏ ଅନ୍ଧାରୁଆ ଗଳିରାସ୍ତା ଧରିଲେ । ଏହିପରି ପ୍ରାୟ ଦୁଇ ମାଇଲ ଯାଇ ସେ ଗୋଟାଏ ନିଛାଟିଆ ଜାଗାରେ ଠିଆ ହୋଇ ଟର୍ଚ୍ଚ ଜଳାଇଲେ । ଟର୍ଚ୍ଚରୁ ନୀଳରଙ୍ଗର ଆଲୋକରେ ସମ୍ଭବ ସେ କିଛି ସଙ୍କେତ କଲେ । ତା’ର ଠିକ୍‌ ପରେ ପରେ ସେହି ପ୍ରକାର ନୀଳ ଆଲୋକ ଖଣ୍ଡେ ଦୂରରେ ତିନିଥର ଦପ୍ ଦପ୍‌ କରି ଜଳି ଉଠି ଲିଭିଗଲା । ରାଧାମାଧବବାବୁ ଆଲୋକ ଜଳିଥିବା ସ୍ଥାନକୁ ଗଲେ । ମୁଁ ମଧ୍ୟ ପିଛା ଧରି ଯାଇ ଦେଖିଲି ଯେ, ସେଠାରେ କଳା ରଙ୍ଗର ଟ୍ୟାକ୍‌ସିଟାଏ ଛିଡ଼ା ହୋଇଛି । ରାଧାମାଧବବାବୁ ଗାଡ଼ି ଭିତରେ ବସିବା ମାତ୍ରେ ଗାଡ଼ି ଛୁଟିଚାଲିଲା । ପୂରା ବେଗରେ । ତାକୁ ଅନୁସରଣ କରିବାକୁ ପାଖରେ ବି ଟାକ୍‌ସି, ଜିପ୍‌ କିଛି ମିଲିଲା ନାହିଁ । ବାଧ୍ୟ ହୋଇ ଫେରିଲି ।

 

ଫେରିବା ବେଳରେ କଥା; ମୁଁ ପରିଷ୍କାର ଜାଣି ପାରୁଥିଲି ଯେ କହି ଜଣେ ମୋତେ ଅନୁସରଣ କରୁଛି । ପ୍ରାୟ ମାଇଲିଏ ଖଣ୍ଡେ ଫେରିଲା ପରେ ରାସ୍ତା କଡ଼ରୁ ହଠାତ୍‌ ଚାରିଜଣ ଲୋକ ବାହାରି ଆସି ମୋତେ କାବୁ କରିଦେଲେ । ଏଥିପାଇଁ ଅବଶ୍ୟ ଖୁବ୍‌ ଦମେ ଧସ୍ତାଧସ୍ତି ହୋଇଗଲା । ଯାହାହେଉ ମୁଁ ପୂରାପୂରି ଉପାୟହୀନ ହୋଇ ପଡ଼ିବାପରେ ଜବରଦସ୍ତି କ୍ଳୋରଫର୍ମଦ୍ୱାରା ମୋତେ ଅଚେତ କରି ଦିଆଗଲା । ମୁଁ ରାସ୍ତାରେ ପଡ଼ି ରହିଲି । ପ୍ରାୟ ଦୁଇଘଣ୍ଟା ପରେ ଗୋଟାଏ ଯାତ୍ରୀବାହୀ ବସ୍‌ ସେ ବାଟେ ଆସୁ ଆସୁ ମୋତେ ଉଦ୍ଧାର କରି ଡାକ୍ତର ଖାନାରେ ନେଇ ଛାଡ଼ିଲା । ଆଜି ମୁଁ ଭଲ ଅଛି । ଭାବୁଛି, କାଲିର ଘଟଣାସ୍ଥଳକୁ ବର୍ତ୍ତମାନ ଭଲଭାବରେ ଦେଖିବାକୁ ଯିବି ।
 

ହଁ, ଆଉ ଗୋଟିଏ କଥା । ଡାକ୍ତର ଖାନାରୁ ହୋଟେଲକୁ ଫେରି ଦେଖେତ ଇତିମଧ୍ୟରେ ରାଧାମାଧବବାବୁ ହୋଟେଲକୁ ଆସି ନିଜର ପାଉଣାପତ୍ର ଦେଇ ମେଲରେ ହାଓଡ଼ା ଫେରିଗଲେଣି-। ସାଙ୍ଗରେ ତାଙ୍କର ଜଣେ ସାହେବୀ ପେଷାକଧାରୀ ଲୋକ ଥିଲେ ବୋଲି ଖବର ପାଇଲି । ଅନୁସନ୍ଧାନ କରୁଛି, ଆସନ୍ତାକାଲି ଯାଉଛି ନିଶ୍ଚୟ ।’’

 

ମି: ଚୌଧୁରୀଙ୍କ ମୁଖଉଜ୍ଜ୍ୱଳ ହୋଇ ଉଠିଲା–ଠିକ୍‌ ! ଏଣେ ବାଟ ସଫା କରି ତେଣେ ବାପଧନ ଚମ୍ପଟ୍‌ । ତେବେ ରାଧାମାଧବବାବୁଙ୍କୁ ଖୁନ୍‌ କଲା କିଏ ? ସନ୍ଦିଗ୍‌ଧ ମନରେ ସେ ଧାଇଁଗଲେ ଗ୍ୟାରେଜକୁ । ନିଜର କାର୍‌ ଇଞ୍ଜିନ୍‌ ଢାଙ୍କୁଣୀ ଟେକି ଦେଖିଲେ କିଛି ଖରାପ ହୋଇନାହିଁ; ତାକୁ ଖରାପ କରି ଦିଆଯାଇଛି, ଯାହାକୁ କି ମରାମତି କରିବାକୁ ଦୁଇଘଣ୍ଟା ପର୍ଯ୍ୟନ୍ତ ଲାଗିପାରେ ।

 

ମି: ଚୌଧୁରୀ ମନେ ମନେ ହସୁଥିଲେ–‘ଯାହା ହେଉ; ହତ୍ୟାକାରୀ ବଡ଼ ଚାଲାକ ଅଛି । ତେବେ ଶରତ୍‍କୁ ବେହୋସ୍‌ କରାଇ ରାଧାମାଧବବାବୁଙ୍କୁ ଗାଡ଼ିରେ ନିରାପଦରେ ଅନୁସରଣ କରିଛି, ପୁଣି ମୋ ଗାଡ଼ି ଖରାପ କରାଇ ତାଙ୍କୁ ହତ୍ୟା କରିଛି । ଯାହା ହେଉ; ଯେ ହତ୍ୟା କରୁଛି, ସେ କେବେ ଏ କାମ କରୁନାହିଁ । ଏଥିଭିତରେ ଗୋଟିଏ ଦଳ ଗଢ଼ିଉଠିଛି ନିଶ୍ଚୟ ।’ ତାଙ୍କର ମନେ ପଡ଼ିଲା–ଗଲା ବର୍ଷ ଧରିଥିବା ଆନ୍ତଃପ୍ରାଦେଶିକ ଦସ୍ୟୁ ପଞ୍ଜାବ ସିଂହର ଦଳ କଥା । ଅବଜ୍ଞାର ହସ ହସି ସେ ଡାକିଲେ.... ମଧୁ !

 

‘ଆଜ୍ଞା !’ ବଡ଼ କାକୁସ୍ଥ ହୋଇ ମଧୁ ଠିଆ ହୋଇ ରହିଲା । ମୁନିବଙ୍କଠାରୁ ଏମିତି ଚଢ଼ାଗଳାରେ ଡାକଟାଏ ଶୁଣି କିଛି ଗୋଟାଏ ଆଶଙ୍କା କରୁଥିଲା ଯେମିତି ସେ । ଆଚ୍ଛା ! କାଲି ମୁଁ ଗଲା ପରେ ଗାଡ଼ି ଗ୍ୟାରେଜକୁ କେହି ଆସିଥିଲା କିରେ ?’’ ପଚାରିଲେ ମି: ଚୌଧୁରୀ ।

 

‘‘ହଜୁର ! ହାଉଡ଼ା ମଟର କମ୍ପାନୀ ମିସ୍ତ୍ରୀ ଆସି କ’ଣ ଖୋଲା–ଖୋଲି କରୁଥିଲା । ଆପଣ କହି ଆସିଥିବେ କାଳେ ?’’

 

‘‘ଲୋକଟା ଦେଖିବାକୁ କିମିତିକା ? କହି ପାରିବୁ ।’’

 

‘‘ଆଜ୍ଞା, ଗୋରା, ମୋଟା ସୋଟା, ଡେଙ୍ଗା । ବୟସ ସେମିତି ବେଶୀ ନୁହେଁ ।’’

 

‘‘ଆଚ୍ଛା, ତୁ ଯା ।’’

 

ମଧୁ ଚାଲିଗଲା । ଗୋଟାଏ ବିପଦ ତା’ ଉପରୁ ଓହ୍ଲାଇଗଲା ଯେମିତି । ମି: ଚୌଧୁରୀ ଗାଡ଼ିଟା ଚଟାପଟ୍ ସଜାଡ଼ି ନେଇ ବାହାରି ପଡ଼ିଲେ ଏସ.ପି. ସାହେବଙ୍କ କୋଠି ଆଡ଼େ । ‘ହଓଡ଼ା ମଟର’ କୁ ଯାଇ ଅନୁସନ୍ଧାନ କରିବାକୁ ଆଦୌ ଉଚିତ ମନେକଲେ ନାହିଁ ସେ । କାରଣ ମିସ୍ତ୍ରୀ ଯେ ସେଠିକାର ଲୋକ ନୁହେଁ, ଏ ଧାରଣା ତାଙ୍କର ଦୃଢ଼ ଥିଲା ।

Image

 

–ଚାରି–

 

ଏସ୍‌.ପି. ସାହେବ ମଧ୍ୟ ଅପେକ୍ଷା କରି ବସିଥିଲେ ମି: ଚୌଧୁରୀଙ୍କୁ । ଗାଡ଼ି ଅଟକିବା କ୍ଷଣି ସେ ତାଙ୍କୁ ପାଛୋଟି ନେଇ ବସାଇଲେ । ତାଙ୍କଠାରୁ ଶରତ୍‌ର ଚିଠି ଆଉ ଗାଡ଼ି ଅସଜ କଥା ଶୁଣି କହିଲେ–‘‘ବୁଝିଲେ ମି: ଚୌଧୁରୀ ! ଏ ରୀତିମତ ଗୋଟାଏ ଷଡ଼ଯନ୍ତ୍ର ଚାଲିଲାଣି । ଆପଣ ଅନ୍ତତଃ ୟାର କିଛି ଗୋଟାଏ କିନାରା କରି ପାରିବେ ବୋଲି ମୁଁ ଆଶା କରୁଛି ।’’

 

‘‘ମୁଁ ତ ପ୍ରାଣପଣେ ଚେଷ୍ଟା କରୁଛି ସାର୍‌ ! ତେଣିକି ଯାହାହେବ । ତେବେ ଶରତ୍‍ ନ ଆସିବାଯାଏ ମୁଁ କିଛି କରିପାରିବି ନାହିଁ । ଆଜି ସେ ଆସିଯିବ ଖୁବ୍‌ ସମ୍ଭବ । ତେବେ ମୁଁ ଥରେ ନିର୍ଗୁଣ୍ଡି ଆଡ଼େ ବୁଲିଆସେ । ଫେରିଲାବେଳକୁ ଏଇବାଟେ ଫେରିବି । ଡାକ୍ତର ଯଦି ପୋଷ୍ଟମଟେମ୍‌ ରିପୋର୍ଟ ଦେଇଥାନ୍ତି ତ ଟିକେ ଦେଖିଯିବି ।’’

 

ଅଭିବାଦନ ଜଣାଇ ବାହାରି ପଡ଼ିଲେ ମି: ଚୌଧୁରୀ–ନିର୍ଗୁଣ୍ଡି ଅଭିମୁଖରେ ।

 

ନିର୍ଗୁଣ୍ଡି ରେଲଷ୍ଟେସନ । ଷ୍ଟେସନ୍‌ ମାଷ୍ଟରଙ୍କ ଜିମାରେ ଗାଡ଼ି ରଖି ମି: ଚୌଧୁରୀ ଚାଲି ଚାଲି ବାହାରି ପଡ଼ିଲେ, ଯେଉଁଠି କାଲି ସେ ଡବାଟା ଥିଲା । ଆଖପାଖରେ କିଛି ଚିହ୍ନ ନାହିଁ । ଲାଇନ କଡ଼େ କଡ଼େ କେବଳ ବୁଦିବୁଦିକିଆ ଅରଖ ବଣ । ଗୋଟାଏ ଗୋଟାଏ ଖଜୁରୀ ଗଛ ବି ।

 

ହଠାତ୍ ଆଖି ଆଗରେ କ’ଣ ଦେଖି ଆଖି ତାଙ୍କର ଉଜ୍ଜ୍ୱଳ ହୋଇ ଉଠିଲା । ଆଗରେ ଯୋଡ଼ାଏ ପାଦଚିହ୍ନ । ତା’ର ଟିକିଏ ଆଗକୁ ଗୋଟାଏ ହାତ ପାପୁଲୀର ପୂରା ଛାପ ବି । ତେବ ହତ୍ୟାକାରୀ ଚେନ୍‌ ଟାଣି ଗାଡ଼ି ବନ୍ଦ ହେବା ଆଗରୁ ଏଇଠି ଡେଇଁ ପଡ଼ିଥିଲା । ଆଉ ଡେଇଁବା ସଙ୍ଗେ ସଙ୍ଗେ ବେଗ ସମ୍ଭାଳି ନ ପାରି ହାମୁଡ଼େଇ ପଡିଛି, ଯାହା ଫଳରେ ଡାହାଣ ହାତ ଭରା ଦେଇ ନିଜକୁ ସମ୍ଭାଳି ନେଇଛି । କିନ୍ତୁ ବାଁ ହାତର ଛାପ ନାହିଁ ? ଠିକ୍‌ ଠିକ୍‌ , ତେବେ ବାଁ ହାତରେ ସେ କିଛି ଗୋଟାଏ ଜିନିଷ ଜାକି ଧରିଥିଲା ନିଶ୍ଚୟ । ଚିକ୍‌କଣ ନାଲି ଧୂଳିଉପରେ ପାଦ ଆଉ ପାପୁଲୀର ଚିହ୍ନ ଛବି ଆଙ୍କିଲା ପରି ପଡ଼ି ରହିଛି । କ୍ୟାମେରା ବାହାର କରି ଯତ୍ନର ସହିତ ଫଟୋ ଉଠାଇ ନେଲେ ମି: ଚୌଧୁରୀ । ଏହାପରେ ପାଦଚିହ୍ନଗୁଡ଼ିକୁ ସତର୍କତାର ସହିତ ଅନୁସରଣ କରି ଚାଲିଲେ ତାଳଚେରକୁ ଯାଇଥିବା ଲାଇନ କଡ଼େ କଡ଼େ ।

 

କି ଆଶ୍ଚର୍ଯ୍ୟ । ଜଣକ ଛଡ଼ା ଦୁଇଜଣଙ୍କର ପାଦ ଚିହ୍ନ ବି ନାହିଁ । ଦେଖା ଯାଉ, ଗତି କୁଆଡ଼େ ? ଡିଟେକ୍‌ଟିଭ ମି: ଚୌଧୁରୀଙ୍କ ମନ କ୍ରମେ ଛନ୍ଦି ହୋଇ ପଡ଼ୁଥିଲା, ନାନା ପ୍ରକାର ଭାବନାରେ । ଆଗରେ ଗୋଟାଏ ବଡ଼ ଖଜୁରୀ ଗଚ୍ଛ । ଠିକ୍‌ ରେଲଲାଇନ କଡ଼କୁ । ପାଦଚିହ୍ନ ସେଇଆଡ଼କୁ ପଡ଼ିଥିଲା । ଗଛର ମୂଳ ପର୍ଯ୍ୟନ୍ତ ଯାଇ ମି: ଚୌଧୁରୀ ଦେଖିଲେ–ସେଠି ତିନି ଯୋଡ଼ା ପାଦ ଚିହ୍ନ । ତେବେ ହତ୍ୟାକାରୀର ସାଥି ତିନିଜଣ ଅପେକ୍ଷା କରି ରହିଥିଲେ ଏଇଠି । ସେଗୁଡ଼ିକର ଫଟୋ ଉଠାଇ ନେଲେ ମି: ଚୌଧୁରୀ । ସେଠାରୁ ପାଦ ଚିହ୍ନ ଅନୁସରଣ କରି ଆଗକୁ ଯିବା ବଡ଼ ଅସମ୍ଭବ ହୋଇ ପଡ଼ିଥିଲା ତାଙ୍କ ପକ୍ଷରେ । କାରଣ ସେଗୁଡ଼ିକ ରେଲ ଲାଇନ ଉପର ଦେଇ ଯାଇଥିଲା ସେଇଠୁ । ଆଖପାଖ ସ୍ଥାନକୁ ଭଲଭାବରେ ନିରୀକ୍ଷି ଦେଖିଥିଲେ ସେ ।

 

ଏତିକିବେଳେ ଦୃଷ୍ଟି ତାଙ୍କର ପଡ଼ିଲା ଲାଇନ କଡ଼ରେ ମୋଡ଼ିମାଡ଼ି ହୋଇ ପଡ଼ିଥିବା ଖଣ୍ଡେ ନାଲି କାଗଜଉପରେ । ସେ ଖଣ୍ଡି ଉଠାଇ ନେଇ ଫିଟାଇଦେଲେ । ସାମାନ୍ୟ କେତୋଟି ଧାଡ଼ି ଲେଖା । ଗତି କାକରରେ କାଳି ଭିଜିଯାଇ ଲେଖା ଅସ୍ପଷ୍ଟ ହୋଇ ପଡ଼ିଛି । ଯତ୍ନରେ ପକେଟରେ ପକାଇଲେ ସେ ଖଣ୍ଡିକ ।

 

ଆଉ ଥରେ ଚାରିଆଡ଼କୁ ଭଲକରି ଦେଖି ନେଇ ଫେରି ଆସିଲେ ଷ୍ଟେସନ ଆଡ଼କୁ ।

 

ଟାଇପ୍‌ କରା କାଗଜଖଣ୍ଡି ବଢ଼ାଇଦେଲେ ଏସ୍‌.ପି ସାହେବ, ମି: ଚୌଧୁରୀଙ୍କ ଆଡ଼କୁ–‘‘ଏଇ ନିଅନ୍ତୁ ଆପଣଙ୍କର ପୋଷ୍ଟମଟେମ୍‌ ରିପୋର୍ଟ ।’’

 

କାଗଜଟା ଉପରେ ଭଲଭାବରେ ଥରେ ଆଖି ବୁଲାଇ ନେଇ କହିଲେ ମି: ଚୌଧୁରୀ–ମୁଁ ବି ସେୟା ଅନୁମାନ କରୁଥିଲି ସାର୍ । ଦେହରେ ଦାଗ ନାହିଁ, ଅଥଚ ଖୁନ୍‌ ! ଏହା ଉତ୍କଟ ବିଷ କ୍ରୀୟା ବ୍ୟତୀତ ସମ୍ଭବ ନୁହେଁ । ତେବେ ମୋର ଅନୁମାନ–ରାଧାମାଧବବାବୁଙ୍କ ଦେହରେ ବିଷ ପ୍ରୟୋଗ କରାଯାଇଛି ତାଙ୍କର ଅଜ୍ଞାତ–ସାରରେ । ନୋହିଲେ ଆମେ ତାଙ୍କୁ ଏତେ ଆରାମରେ ବସି ଶେଷ ନିଃଶ୍ୱାସ ତ୍ୟାଗ କରିବାର ଦେଖି ନ ଥାନ୍ତେ । ଡାକ୍ତରଙ୍କ ରିପୋର୍ଟରୁ ଯାହା ଜଣାଯାଉଛି–‘‘ବିଷ ତାଙ୍କୁ ଖୁଆ ଯାଇନାହିଁ, ତେବେ ଦେହରେ ପ୍ରୟୋଗ କରାଯାଇଛି ! ଡକାୟତ ତେବେ କି ଉଦ୍ଦେଶ୍ୟରେ ତାଙ୍କୁ ଖୁନ୍‌ କଲା, ବର୍ତ୍ତମାନ ସେଇୟା ଭାବିବାର କଥା । ତେବେ ମୋର ଯାହା ଅନୁମାନ ତାଙ୍କର ଜିନିଷପତ୍ର ଯାହା ଥିଲା–ତାକୁ ତ ହତ୍ୟାକାରୀ ନେଇଛି । କାରଣ ଆମେ କମ୍ପାଟମେଣ୍ଟରୁ କିଛି ଜିନିଷର ସନ୍ଧାନ ପାଇ ନାହୁଁ । ତେବେ ଏଥିରେ ଆହୁରୀ କିଛି ରହସ୍ୟ ଥିବାର ଜଣାଯାଉଛି । କେବଳ ଧନଲୋଭରେ ହୋଇଥିଲେ ଡକାୟତ ପ୍ରାଣଭୟ ଦେଖାଇ ନେଇ ଯାଇ ପାରିଥାନ୍ତା । ତେବେ ହତ୍ୟାର ଉଦ୍ଦେଶ୍ୟ କ’ଣ ! ପୁଣି ତାଙ୍କର ଆଜ୍ଞାତ ସାରରେ ?’’

 

ଏସ୍‌.ପି. କେବଳ ନୀରବରେ ଶୁଣି ଯାଉଥିଲେ ଚତୁର ଗୋଏନ୍ଦାଙ୍କର ଅକାଟ୍ୟ ଯୁକ୍ତି । ପ୍ରତ୍ୟେକଟି କଥା ତାଙ୍କର ଚିନ୍ତା ରାଜ୍ୟରେ ଗଣ୍ଠି ପଡ଼ିଯାଇଥିଲା । ଟିକିଏ ଚିନ୍ତିତ ହୋଇ ସେ କହିଲେ–ଦେଖନ୍ତୁ, ଚେଷ୍ଟା କରନ୍ତୁ ! ସଫଳତା ଆପଣଙ୍କ ଉପେରହିଁ ନିର୍ଭର କରେ । ହଁ, ଆପଣ ସେଆଡ଼ୁ କ’ଣ କିଛି ସନ୍ଧାନ ପାଇଲେ ?

 

‘‘ହଁ ସାର୍ ! କିଛି ସାମାନ୍ୟ ଆଉ ମୂଲ୍ୟବାନ୍‌ ।’’

 

ସମସ୍ତ ଘଟଣା ଆମୂଳଚୂଳ ବର୍ଣ୍ଣନା କରିଗଲେ ମି: ଚୌଧୁରୀ ।

Image

 

–ପାଞ୍ଚ–

 

ଘରକୁ ଫେରି ମଧ୍ୟାହ୍ନ ଭୋଜନପରେ ଫଟୋଗ୍ରାଫ୍‌ଗୁଡ଼ିକୁ ପ୍ରିଣ୍ଟ୍‌କରିବାରେ ଲାଗିପଡ଼ିଲେ ମି: ଚୌଧୁରୀ । ସବୁ ଫଟୋଗୁଡ଼ିକ ସଫଳ । ବେଶ୍‌ ପରିଷ୍କାର ଉଠିପାରିଛି । ସେଗୁଡ଼ିକୁ ଏକ ଦୃଷ୍ଟିରେ ଚାହିଁ ମନେ ମନେ ଆତ୍ମପ୍ରସାଦ ଅନୁଭବ କରୁଥିଲେ ସେ । ମନେପଡ଼ିଲା–ସେ ରେଲଲାଇନ କଡ଼ରୁ ଖୁଣ୍ଟି ଆଣିଥିବା କାଗଜ ଖଣ୍ଡିକ କଥା । ତରବରରେ ପକେଟରୁ ବାହାର କରି ଆଣିଲେ ସେ ଖଣ୍ଡ । ସଜାଇ ରଖିଲେ ଟେବୁଲ ଉପରେ । ଡ୍ର’ରୁ ମଗ୍ନିଫାଇଙ୍ଗ୍‌ ଗ୍ଳାସ ବାହାର କରି ଦେଖିଲେ । ବେଶ୍‌ ପରିଷ୍କାର ପଢ଼ି ହେଉଛି–

 

ନଜିର !

 

ଆଗାମୀ ଏଗାର ତାରିଖ ରାତି ୨ଟା ବେଳେ ମହାନଦୀ ରେଲ ପୋଲ ତଳେ ଦେଖା କରିବୁ । ତୋର ପାଉଣା କଥା ସେଇଠି ।

 

–ପଦନସିଂହ–

 

ଆନନ୍ଦରେ ଫୁଲି ଉଠିଲା ଛାତି ତାଙ୍କର । ‘‘ଓ, ଦସ୍ୟୁ ପଞ୍ଜାବ ସିଂହର ସହକାରୀ ତେବେ ଆତ୍ମଗୋପନ କରିଛନ୍ତି ଏଇଠି ? ଆଉ ଗୋଟାଏ ଦଳ ଗଢ଼ା ହୋଇଗଲାଣି ଏ ଭିତରେ ତେବେ । ଆଚ୍ଛା, ଦେଖାଯାଉ ।’’

 

ଆଗ ଦିନର ରାତି ଅନିଦ୍ରା ଯୋଗୁ ଦେହ ଅବଶ ଲାଗୁଥିଲେ ବି ଟୋପିଟା ମୁଣ୍ଡରେ ଲଗାଇ ମଟର ସାଇକେଲରେ ବାହାରି ପଡ଼ିଲେ ମି ଚୌଧୁରୀ ଏସ୍‌.ପି.ଙ୍କ କୋଠିଆଡ଼େ ।

 

ଅସମୟରେ ମି: ଚୌଧୁରୀଙ୍କୁ ଦେଖି କିଛି ଗୋଟିଏ ବିଶେଷ ଘଟଣା ଘଟିଥିବାର ଆଶଙ୍କା କରୁଥିଲେ ଏସ୍‌.ପି. । ତାଙ୍କର ଆଶଙ୍କା ଦୂର କରିବାପାଇଁ ଚିଠିଟିର ମର୍ମ ବୁଝାଇ କହଲେ ମି: ଚୌଧୁରୀ ।

 

ଏସ୍‌.ପି. ସାମାନ୍ୟ ଉତ୍ତେଜିତ ହୋଇ କହିଲେ–‘‘ଏଗାର ତରିଖ ଦିନ ଅବଶ୍ୟ ଯଥା ବନ୍ଦୋବସ୍ତ କରାଯିବ । ତେବେ ୟା ମଧ୍ୟରେ ଆପଣଙ୍କର କଲିକତା ଯାଇ ରାଧାମାଧବବାବୁଙ୍କ ଖବର ସଂଗ୍ରହ କରିବା ଉଚିତ ନୁହେଁ କି ?’’

 

‘‘ନିଶ୍ଚୟ ସାର୍‍ ! ତେବେ ତା’ ଏତେ ଚଞ୍ଚଳ ନ ହେଲେ ବି ଚଳିବ । କାରଣ ହତ୍ୟାକରୀ କଲିକତା ପର୍ଯ୍ୟନ୍ତ ଯାଇନାହିଁ । ସେ ନିର୍ଗୁଣ୍ଡିଠାରେ ହିଁ ଓହ୍ଲାଇଛି । ତେଣୁ କଲିକତା ଯିବାଟା ଏଗାର ତାରିଖ ପରେ ହେଲେ ଚଳିବ, କାରଣ ନିଶ୍ଚୟ କିଛି ଖବର ସେଠାରୁ ସଂଗ୍ରହ କରାଯାଇପାରେ ।’’

 

‘‘ଆଚ୍ଛା, ତାହାହିଁ କରାଯାଉ । ତେବେ ସେଠା ପୋଲିସ୍‌ ଷ୍ଟେସନକୁ ଖବରଟା ଦେବା ତ ନିହାତି ଦରକାର । ମୁଁ ତା’ର ବ୍ୟବସ୍ଥା ବର୍ତ୍ତମାନ କରୁଛି । ହଁ, ଶରତ୍‍ବାବୁ ଆଜି ଆସୁଛନ୍ତି ତ । ତାଙ୍କଠାରୁ ଅନ୍ତତଃ କିଛି ସନ୍ଧାନ ମିଳିବାର ଆଶା ଅଛି । ଦେଖାଯାଉ, କ’ଣ ହେଉଛି ।’’

 

‘‘ମୋର ଯେତେଦୂର ଅନୁମାନ ସେ ଆଜି ଆସିବ ନିଶ୍ଚୟ, ଆଉ ଖବର ବି କିଛି ମିଳିପାରେ ତା’ଠୁ ।’’ ଚମ୍ଭୀର ଭାବରେ କହିଲେ ମି: ଚୌଧୁରୀ ।

 

‘‘ଆଚ୍ଛା ମି: ଚୌଧୁରୀ । ଅନ୍ତତଃ କେତେଜଣ ଫୋର୍ସ ନେଲେ ଚଳିବ ସେଠାକୁ ?’’ ମୁଣ୍ଡ ଉଠାଇ ପଚାରିଲେ ଏସ୍‌.ପି. ।

 

‘‘କେଉଁଠିକି ସାର୍‌ ? ରେଳ ପୋଲ ନିକଟକୁ ?

 

‘‘ହଁ, ମୁଁ କହୁଥିଲି କି, ସେଦିନ ସେମାନଙ୍କୁ ଗିରଫ କରି ନେବାପାଇଁ ।’’

 

‘‘ନାଁ ସାର୍ । ବର୍ତ୍ତମାନ ସେମାନଙ୍କୁ ଗିରଫ କରିବାପାଇଁ ଆମ ହାତରେ ସେମିତି କିଛି ପ୍ରମାଣ ନାହିଁ । ତା’ପରେ ଜଣେ ଦୁଇଜଣକୁ ଗିରଫ କଲେ ସମୁଦାୟ ଦଳଟି ସାବଧାନ ହୋଇଯାଇ ପାରେ । ଯେଉଁ ଜଣେ ଦୁଇଜଣକୁ ବି ଗିରଫ କରାଯିବ, ସେମାନଙ୍କଠାରୁ କଥା ହୁଏତ ନ ମିଳିପାରେ । ବରଂ ସେମାନଙ୍କୁ କେନ୍ଦ୍ର କରି ଅନୁସନ୍ଧାନ କଲେ ଫଳ ଅଛି । ଏଥିପାଇଁ ଶରତ୍‌ ଓ ମୁଁ ଚେଷ୍ଟା କରିବୁଁ । ଆଜି ତ ହେଲା ଆଠ ତାରିଖ । ଆହୁରି ତିନିଦିନ ଅଛି । ଏ ମଧ୍ୟରେ ଶରତ୍‌ ଆସିଥିବ ନିଶ୍ଚୟ ।’’

 

‘‘ଇଏସ୍‌, ଇଉ ଆର ରାଇଟ୍‌ ।’’ ଟେବୁଲ ଉପରେ ହାତ ବାଡ଼େଇ କହି ଉଠିଲେ ଏସ୍‌.ପି. ସାହେବ ।

 

ସେଦିନ ମାଡ୍ରାସମେଲ୍‍ ଥିଲା ଦେଢ଼ ଘଣ୍ଟା ଲେଟ୍‌ । ପ୍ଳାଟ୍‌ଫର୍ମରେ ଧୀରେ ପଦଚାରଣା କରୁ କରୁ ମି: ଚୌଧୁରୀ ମନରେ ଭାବୁଥିଲେ ଗୋଟିଏ କଥା–‘ଶରତ୍‌ ଆସିଥିବ କି ନାହିଁ । ଯଦି ଆଜି ସେ ନ ଆସେ–’ ଚିନ୍ତାର ଖିଅ ଗୋଳମାଳ ହୋଇ ଉଠୁଥାଏ ତାଙ୍କର ।

 

ଭୁଷ୍‌ ଭୁଷ୍‌ ଗର୍ଜ୍ଜନ କରି ପ୍ଳାଟ୍‌ଫର୍ମରେ ଠିଆ ହୋଇଗଲା ମାଡ୍ରାସମେଲ୍‍ । ଗାଡ଼ିରୁ ଓହ୍ଲାଇ ଆସିଲେ ସହକାରୀ ଗୋଏନ୍ଦା ଶରତ୍‌ ପଟ୍ଟନାୟକ । ମି: ଚୌଧୁରୀ ଏକ ପ୍ରକାର ଦଉଡ଼ି ଦଉଡ଼ି ଯାଇ କୁଣ୍ଢାଇ ପକାଇଲେ ତାଙ୍କୁ । ଅତି ଶ୍ରଦ୍ଧା କରନ୍ତି, ସେ ଏଇ ପ୍ରିୟ ସହକାରୀକୁ, ଠିକ୍‌ ନିଜର ସାନଭାଇ ପରି ।

 

ନୈଶଭୋଜନ ପରେ ମି: ଚୌଧୁରୀ ପଚାରିଲେ–‘‘ହଁ, ଶରତ୍‌ ! ତୁମେ କ’ଣ ଆଉ କିଛି ଖବର ପାଇଲ ?’’

 

ଶରତ୍‌ ଠିକେ ଠିକେ ବର୍ଣ୍ଣନା କରିଗଲା ସବୁ–‘‘ଆରଦିନ ମୁଁ ଘଟଣାସ୍ଥଳକୁ ଯାଇଥିଲି । ଆଖପାଖ ଅନେକ ଖୋଜାଖୋଜି ପରେ ପାଇଲି ଖଣ୍ଡିଏ ରୁମାଲ । ସେଥିରେ ଗୋଟିଏ କଡ଼କୁ ଲେଖାଅଛି–‘ନଜିର’, ୟା ଛଡ଼ା ଆଉ କିଛି ନାହିଁ ।’’ ଏତକ କହି ହ୍ୟାଣ୍ଡବ୍ୟାଗରୁ ରୁମାଲ ଖଣ୍ଡିଏ କାଢ଼ି ଥୋଇଲେ ଶରତ୍ । ମି: ଚୌଧୁରୀ ମନେ ମନେ ଦେଖୁଥିଲେ ଯେଉଁ ଲୋକକୁ, ସେ ନଜିର । ‘ତେବେ ନଜିର ସେଦିନ ଶରତ୍‍କୁ ବେହୋସ କରାଇ ରାଧାନାମାଧବବାକୁଙ୍କ ସାଥିରେ ଆସିଥିଲା । ଆଉ ବାଟରେ ହତ୍ୟାକରି ନିର୍ଗୁଣ୍ଡିଠାରେ ପଳାଇଲା । ୟାର ପ୍ରମାଣ ଚିଠି ଆଉ ରୁମାଲରୁ ମିଳୁଛି । ତେବେ ନଜିର ଯେ ଏଇ ଅଞ୍ଚଳର ଲୋକ ଆଉ ଏଇ ଅଞ୍ଚଳରେ ଆତ୍ମଗୋପନ କରିଛି, ଏଥିରେ ସନ୍ଦେହ ନାହିଁ ।’

 

ରାଧାମାଧବବାବୁଙ୍କ ହତ୍ୟା ଆଉ ନିଜର ଅନୁସନ୍ଧାନ ବିଷୟ ବର୍ଣ୍ଣନା କରି ମି: ଚୌଧୁରୀ କହିଲେ–‘‘ଦେଖାଯାଉ, ଏଗାର ତାରିଖରେ କ’ଣ ଘଟଣା ହେଉଛି ।’’

Image

 

–ଛଅ–

 

ଏଗାର ତାରିଖ ।

 

ରାତି ବାରଟା ବାଜିବା ସଙ୍ଗେ ସଙ୍ଗେ କାଳିଆବୋଦା କଡ଼ର ଅନ୍ଧାରି ରାସ୍ତାଦେଇ ମହାନଦୀ ପୋଲ ଆଡ଼କୁ ଆଗେଇ ଯାଉଥିଲେ କଳା ମୂର୍ତ୍ତି ଦୁଇଟା, ଛାଇପରି । ଅନ୍ଧାର ରାତିର ଗାଢ଼ ପଣତ ତଳେ ସେମାନଙ୍କର ସତ୍ତା ହଜି ଯାଇଥିଲା ।

 

ରେଲପୋଲ ନିକଟରେ ସେ ଦୁହେଁ ବଡ଼ ସନ୍ତର୍ପଣରେ ଚାରିଆଡ଼େ ଦୃଷ୍ଟିପାତ କରିନେଇ ଠିଆ ହୋଇ ରହିଲେ କାହାର ଅପେକ୍ଷାରେ । ପୋଲ ଆରମୁଣ୍ଡରେ ବିଜୁଳିବତୀଟା ଜୁଳୁ ଜୁଳୁ କରି ଚାହିଁ ଦେଖୁଥିଲା ସବୁ ଯେମିତି । ଏ ଦୁହେଁ ଆଉ କେହି ନୁହନ୍ତି, ଆମର ପୂର୍ବ ପରିଚିତ ଗୋଏନ୍ଦା ମି: ଚୌଧୁରୀ ଆଉ ତାଙ୍କର କର୍ତ୍ତବ୍ୟନିଷ୍ଠ ସହକାରୀ ଶରତ୍‌ ।

 

ଗୀର୍ଜା ଘଡ଼ିରେ ଢଂଢଂ କରି ବାଜିଲା ଦୁଇଟା । ଠିକ୍ ଏତିକିବେଳେ ଏମାନଙ୍କର ଅପେକ୍ଷା କରିଥିବା ସ୍ଥାନଠାରୁ ଖଣ୍ଡେ ଦୂରରେ ନୀଳ ବର୍ଣ୍ଣର ଆଲୋକଟିଏ ଦପ୍‌ ଦପ୍ କରି ତିନିଥର ଜଳି ଉଠିଲା । ପୋଲର ଏ ପଟରୁ ମଧ୍ୟ ସେହିପରି ଆଲୋକଟିଏ ତିନିଥର ଜଳିଉଠି ଲିଭିଗଲା । ମି: ଚୌଧୁରୀ ଶରତ୍‍ର ବାହୁକୁ ଟିକିଏ ଚିପିଦେଲେ । ‘ସବୁ ଠିକ୍‌, ସେମାନେ ଆସିଛନ୍ତି ନିଶ୍ଚୟ !’ ପୋଲର ଖୁଣ୍ଟି କଡ଼ରେ ଏମାନଙ୍କର ଆତ୍ମଗୋପନ ଯେ କୌଣସି ସନ୍ଧାନୀ ଆଖିରେ ବି ଅସମ୍ଭବ ଥିଲା ନିଶ୍ଚିତ ରୂପେ ।

 

ଠିକ୍‌ ପୋଲ କଡ଼େ କଡ଼େ କଳା ମୂର୍ତ୍ତିଟାଏ ଆଗେଇ ଯାଉଛି–ଶରତ୍‌ ଦେହରେ ହାତ ମାରିଦେଲେ ମି: ଚୌଧୁରୀ । ଲୋଡେଡ୍‌ ପିସ୍ତଲ ଉପରେ ମୁଠା ତାଙ୍କ ଦୃଢ଼ ହୋଇ ଆସୁଥିଲା । ‘ଏ କିଏ ? ନଜିର ?’ ପ୍ରଶ୍ନର ଗାଢ଼ କୁହେଳି ମଧ୍ୟରେ ମନ ତାଙ୍କର ହଜି ଯାଇଥିଲା । ମୂର୍ତ୍ତି ପଛେ ପଛେ ପାଦ ବଢ଼ାଇଲେ ସେ । ପଛେ ପଛେ ଶରତ୍‌ । କିଛି ବାଟ ଯାଇ ଠିକ୍‌ ପୋଲ ମଝାମଝିରେ ଠିଆ ହୋଇଗଲା ମୂର୍ତ୍ତିଟା । ହାତରେ ତା’ର ନୀଳରଙ୍ଗର ବତୀଟା ଦପ୍‌ କରି ଥରେ ଜଳି ଉଠିଲା । ସେହି ମୁହୂର୍ତ୍ତରେ ଅତି ନିକଟରୁ ସେହିପରି ଆଲୋକଟିଏ ଜଳିଉଠିଲା । ସଙ୍କେତ ପରେ ଦୁହେଁ ଦୁହିଁଙ୍କ ଆଡ଼କୁ ଆଗେଇଛନ୍ତି ନିଶ୍ଚୟ !

 

ମୂର୍ତ୍ତି ଦୁଇଟିର ପରସ୍ପର ମଧ୍ୟରେ ବ୍ୟବଧାନ ସରି ଯାଇଥିଲା ସେତେବେଳକୁ । ଚାଲୁ ଚାଲୁ ଦୁଇଜଣଯାକ ଠିଆ ହୋଇ ପଡ଼ିଲେ । ମି: ଚୌଧୁରୀ ସେମାନଙ୍କର ଅତି ନିକଟରେ ଥିବା ଖୁଣ୍ଟ ନିକଟରେ କାନ ପାଡ଼ିଥିଲେ, ତାଙ୍କର କଥାବାର୍ତ୍ତାକୁ ଠିକ୍‌ ଶିକାର ସନ୍ଧାନୀ ବାଘପରି ।

 

‘‘କ’ଣ ଖବର ? ସବୁ ଠିକ୍‌ ତ ?’’

 

‘‘ହଁ, ସବୁ ଠିକ୍‌ । ସର୍ଦ୍ଦାର ବଡ଼ ଖୁସ୍‌ ଅଛି ତୋ ଉପରେ ।’’

 

‘‘ତେବେ ମୋର ପାଉଣା ପତ୍ର ।’’

 

‘‘କିଛି ଦେଇନାହିଁ । ଆର କାମ ଫତେ କଲେ ପାଇବୁ । ଏଇ ଖବର ଦେଇ ମୋତେ ପଠାଇଛି ।’’

 

‘‘କିନ୍ତୁ ସେତ ଏତେ ସହଜ ନୁହେଁ, ମୁଁ ଆଗରୁ କହିଛି । ତା’ପରେ ଗୋଇନ୍ଦା ଲାଗିଲାଣି ମୋ ପଛରେ । ମାନ୍ଦ୍ରାଜରେ ମି: ଚୌଧୁରୀର ସହକାରୀ ଶରତ୍‍କୁ କାବୁକରି ପଳାଇ ଆସିଛି । ତେବେ ସେ ମୋତେ ଚିହ୍ନିପାରି ନାହିଁ । ଏ ଭିତରେ ହୁଏତ କଟକ ଫେରିବଣି ସେ ।’’

 

‘‘ଚୁପ୍‌କର ! ବହୁତ କଥା କହିଲୁଣି । ଏବେ ସର୍ଦ୍ଦାରର ହୁକୁମ ଶୁଣ । ଆର କାମଟି ତୋତେ ଯେ କୌଣସି ପ୍ରକାରେ ଫତେ କରିବାକୁ ହେବ । ମାଲ ହାତକୁ ହାତ ଦେଇ ତୋର ପାଉଣା ବୁଝିନବୁ । ଜୟମାଧବକୁ ଖୁନ୍ କରିବାପାଇଁ ଦରକାର ହେଲେ ଚୀନାବଜାର ଯାଇ ଆଲ୍ଲାଉଦ୍ଦିନକୁ ସେ କାମ ଦେବୁ ।

 

‘‘ମାଲ ଦବା ନବା ତ ଭାରି ଅସୁବିଧା ।’’

 

‘‘ତୋର ସେଥିରେ ମୁଣ୍ଡ ଖେଳାଇବା ଦରକାର ନାହିଁ । ସର୍ଦ୍ଦାର ତା’ର ଯୋଗାଡ଼ କରିବ ନିର୍ଗୁଣ୍ଡିଠେଇଁ । ଶୁଣ ! ଆଜି ଏଗାର ତାରିଖ । ସର୍ଦ୍ଦାର କହିଛି–ଚଉଦ ତାରିଖ ଦିନ ଯେମିତି ହେଉ କାମ ଶେଷ କରି ଆସିବୁ ।’’

 

‘‘ଏଥିର ଖର୍ଚ୍ଚ ପତ୍ର ?’’

 

‘‘ଏଇ ଧର ଦୁଇ ହଜାର । ଏଟା ତୋ ପାଉଣା ବାଦ୍‌ ।’’

 

ପରିଷ୍କାର ଭାବରେ ସବୁ ଶୁଣିପାରୁଥିଲେ ମି: ଚୌଧୁରୀ । ସେ କେବଳ ଭାବୁଥିଲେ ଗୋଟିଏ କଥା–‘କଟକ ଆଡ଼ୁ ଆସିଥିବା ଲୋକଟି ନଜିର, ତେବେ ଆର ଲୋକଟି କିଏ ? ଯାହା ହେଉ, ଆଜି ହିଁ ଆଡାର ସନ୍ଧାନ ନେବାକୁ ହେବ ।’ ମନେ ମନେ ବଡ଼ ବୃଢ଼ ହୋଇ ଉଠୁଥିଲେ ସେ-

 

ଏତିକିବେଳେ ବହୁତ ଦୂରରୁ ରେଳଗାଡ଼ିର ସିଟି ଶୁଣାଗଲା । କଳାମୂର୍ତ୍ତି ଦୁଇଟା ଚମକି ପଡ଼ିଲେ ଯେମିତି । ଚଟାପଟ୍ ଯେ ଯାହା ଦିଗକୁ ଫେରିପଡ଼ିଲେ । ମି: ଚୌଧୁରୀ ଶରତ୍‌ ଦେହରେ ହାତ ଟିପିଦେଇ ଟିକିଏ ପଛକୁ ଠେଲି ଦେଲେ, ଆଉ ଆଗକୁ ଗୋଡ଼ ବଢ଼ାଇଲେ କଳାମୂର୍ତ୍ତି ପଛେ ପଛେ । ଶରତ୍‌ ଚାଲିଲା ନଜିର ପଛେ ପଛେ ।

 

ମି: ଚୌଧୁରୀ ପୋଲର ଶେଷଭାଗରେ ପହଞ୍ଚିଲା ବେଳକୁ ଆଗର କଳାମୂର୍ତ୍ତି ହାତରେ ନୀଳବର୍ଣ୍ଣର ଆଲୋକଟିଏ ଦପ୍‌କରି ଜଳିଉଠିଲା । ଟିକିଏ ଦୂରରେ ସେହିପରି ଆଲୁଅଟିଏ ଦପ୍‌କରି ଜଳିଉଠି ଲିଭିଗଲା । ମି: ଚୌଧୁରୀ ଅନୁମାନ କଲେ ଜାଗାଟା ପକ୍‌କା ରାସ୍ତା ହେବ ବୋଧହୁଏ ! ଦସ୍ୟୁର କେହି ସହଚର ତାକୁ ସେଠାରେ ଅପେକ୍ଷା କରିଛି ତେବେ ! ଅଳ୍ପ ସମୟ ମଧ୍ୟରେ ତାଙ୍କର ସେ ସନ୍ଦେହ ଦୂର ହୋଇଗଲା । ମୂର୍ତ୍ତିଟି ପକ୍‌କା ରାସ୍ତା ଉପରକୁ ଉଠିବା ମାତ୍ରେ ରୂପରେଖ ବି ବଦଳିଗଲା । ହଠାତ୍‌ ପାଲଟିଗଲା ସେ ଧଳା ସୁଟ୍‌ କୋଟ୍‍ ପିନ୍ଧା ଜଣେ ଭଦ୍ରଲୋକ । ତା’ ସଙ୍ଗେ ସଙ୍ଗେ ଆଉ ଜଣେ ବି ସେହିପରି । ମି: ଚୌଧୁରୀଙ୍କ ମନରୁ ସନ୍ଦେହ ପରଦା ଘୁଞ୍ଚି ଯାଉଥିଲା । ‘ଏମାନେ କଳାରଙ୍ଗର ଘୋଡ଼ଣି ଘୋଡ଼ାଇ ହୋଇଥିଲେ ତେବେ ।’

 

ମଟର ସାଇକଲଟାଏ ଗର୍ଜନ କରିଉଠିଲା ସଙ୍ଗେ ସଙ୍ଗେ । ଆରୋହୀ ଦୁଇଜଣ ଅଦୃଶ୍ୟ ହୋଇଯାଉଥିଲେ । ମି: ଚୌଧୁରୀ ପିସ୍ତଳ ଉଠାଉ ଉଠାଉ ପୁଣି କ’ଣ ଭାବି ନୁଆଁଇ ଦେଲେ । ମଟର ସାଇକେଲଟା ଅଦୃଶ୍ୟ ହୋଇଗଲା ପକ୍‌କା ରାସ୍ତାଦେଇ । ଦୁର୍ଭାଗ୍ୟ ! ମି: ଚୌଧୁରୀ ଦୀର୍ଘ ନିଃଶ୍ୱାସଟାଏ ପକାଇଲେ । ଖରା ଦିନିଆ ରାସ୍ତା ଦେଇ ଫେରି ଆସୁଥିଲେ ସେ; ଏଣେ ପୋଲଉପରେ ଘୋର ଗର୍ଜନକରି ମାଲଗାଡ଼ିଟାଏ ଯାଉଥିଲା ।

 

ଏଣେ ଶରତ୍‍ ନଜିରକୁ ଅନୁସରଣ କରି ପୋଲ ଶେଷ ମୁଣ୍ଡରେ ପହଞ୍ଚିଲା ମାତ୍ରେ ନଜିର ବି ପୋଷାକ ବଦଳାଇ ଦେଲା । ସେ ପାଖ ବୁଦାମୂଳରୁ ହାତ ବ୍ୟାଗ୍‌ଟାଏ, ବାହାର କରି କଳା ଘୋଡ଼ଣୀଟା ତାରି ଭିତରେ ପୂରାଇ ଜୋବ୍ରାଆଡ଼େ ଚାଲିଲା । ଶରତ୍‍ ବି ଯଥେଷ୍ଟ ଦୂରତା ଆଉ ସତର୍କଦୃଷ୍ଟି ରଖି ଯାଉଥାଏ । ଆଗରେ ଯାଉଥିବା ସୁଟ୍‌ ପେଣ୍ଟ ପିନ୍ଧା ନଜିର ଜୋବ୍ରାରେ ପହଞ୍ଚି ଖଣ୍ଡିଏ ରିକ୍‌ସା ଧରିଲା । ଶରତ୍‍ ବି ରିକ୍‌ସାରେ ତା’ର ପିଛାଧରି ଅନୁସରଣ କଲା । ନଜିର ନୟାସଡ଼କରେ ପହଞ୍ଚିଲା ମାତ୍ରେ ‘ପ୍ରଭାତ ଜୁୟେଲାରୀ ହାଉସ’ ଆଗରେ ଓହ୍ଲାଇ ପଡ଼ିଲା । ଟିକିଏ ଛଡ଼ାରେ ଶରତ୍‍ ବି । କିନ୍ତୁ ଏ କ’ଣ ? ଏ ଯେ ସେଠ୍‌ ଦୟାଲରାମ । ଆଖିକୁ ଥରେ ଭଲଭାବରେ ମକଚି ଦେଇ ଦେଖିଲା । ନା, କିଛି ଭୁଲ ନାହିଁ ତ ! ଏତ ସେଠ୍‌ ଦୟାଲରାମ ।

 

‘ବହୁତ ଆଚ୍ଛା’ ବୋଲି ଓଠରେ ଦାନ୍ତ ଦାବି ଫେରିଆସିଲା ସେ ।

Image

 

–ସାତ–

 

ଏସ୍‌.ପି.ଙ୍କର ପ୍ରାଇଭେଟ ରୁମରୁ ହସ ହସ ମୁହଁରେ ବାହାରି ଆସୁଥିଲେ ମି: ଚୌଧୁରୀ ଆଉ ଶରତ୍‌ । ସେମାନଙ୍କ ପଛରେ କହି କହି ଆସୁଥିଲେ ଏସ୍‌.ପି. ସାହେବ ‘ବୁଝିଲେ ମି: ଚୌଧୁରୀ, ମୁଁ ଆଜି ଲାଲବଜାର ପୋଲିସ୍‌ ହେଡ଼କ୍ୱାଟର୍ସକୁ ଜଣାଇ ଦେଉଛି । ଦରକାର ହେଲେ ଆପଣ ସେଠି ମି: ଆଲ୍‌ବର୍ଟଙ୍କୁ ଦେଖାକରିବେ । ସେ ଆପଣଙ୍କୁ ସବୁପ୍ରକାର ସାହାଯ୍ୟ ଦେଇପାରିବେ ।’

‘କଲିକତାରେ ପହଞ୍ଚି ଯାହା ଦରକାର ହେବ, ବନ୍ଦୋବସ୍ତ କରିନେବି; ଆପଣ ଏଣେ ଟିକେ ନଜର ରଖିଥିବେ ।’

‘ନିଶ୍ଚୟ, ନିଶ୍ଚୟ’ କଣ୍ଠରେ ଦୃଢ଼ତା ରଖି କହିଲେ ଏସ୍‌.ପି. ।

କଟକ ଷ୍ଟେସନ ! ପ୍ଳାଟ୍‍ଫର୍ମ ଉପରେ ଧୀର ପଦଚାରଣା କରୁଛନ୍ତି ମି: ଚୌଧୁରୀ । ମନରେ ତାଙ୍କର ଗୋଟିଏ ପ୍ରଶ୍ନ–ସେଠ୍‌ ଦୟାଲରାମ ଓରଫ ନଜିର ଖାଁ କାହିଁ ?

ଗାଡ଼ି ଆଉଟ୍‌ ହେବା ସଙ୍ଗେ ସଙ୍ଗେ ଷ୍ଟେସନ ପାଖରେ ଚକ୍ ଚକ୍‌ ବଗିଗାଡ଼ି ଖଣ୍ଡିଏ ଲାଗିଲା । କଚୁଆନ ଦରଜା ଖୋଲିଦେବା ସଙ୍ଗେ ସଙ୍ଗେ ଭିତରୁ ହାତବାଡ଼ି ଖଣ୍ଡି ଘୂରାଇ ଘୂରାଇ ବହାରି ଆସିଲେ ସେଠ୍‌ ଦୟାଲରାମ । ଚିହ୍ନା ଲୋକେ ସମ୍ଭ୍ରମରେ ଆଡ଼େଇ ଯାଇ ବାଟ କରିଦେଲେ-। କିଏ ଜାଣେ ଏ ଲୋକର ହୃଦୟ ହଳାହଳରେ ପୂର୍ଣ୍ଣ ଅଛି ବୋଲି ? ମନେ ମନେ ହସିଉଠିଲେ ମି: ଚୌଧୁରୀ ।

ଗାଡ଼ି ପ୍ଳାଟ୍‍ଫର୍ମରେ ଠିଆହେବା କ୍ଷଣି ସେଠ୍‌ ଦୟାଲରାମ ଉଠିଗଲେ ଗୋଟିଏ ଫାଷ୍ଟକ୍ଳାସ୍ କମ୍ପାଟମେଣ୍ଟ ଭିତରକୁ । ତାଙ୍କ ପଛେ ପଛେ ମି: ଚୌଧୁରୀ ବି । ‘ଆରେ ସେଠ୍‍ଜୀ, ଆପଣ ? ନମସ୍ତେ ନମସ୍ତେ ।’

‘ରାମ, ରାମ, ବାବୁଜୀ; ଆଇୟେ, ଆଇୟେ ।’ କହି ବସିବା ସ୍ଥାନରୁ ଟିକିଏ ଘୁଞ୍ଚିଗଲେ ସେଠ୍‌ଜୀ । ମି: ଚୌଧୁରୀ ତାଙ୍କର ସାମନା ସିଟରେ ବସି ପଡ଼ିଲେ । ଗାଡ଼ି ଚାଲିବାକୁ ଆରମ୍ଭ କଲାଣି ସେତେବେଳକୁ ।

‘‘ଆପଣଙ୍କ ପରି ଜଣେ ବିଶିଷ୍ଟ ଲୋକଙ୍କ ସଙ୍ଗଲାଭ କରି ମୁଁ ନିଜକୁ ବଡ଼ ଭାଗ୍ୟବାନ ମନେ କରୁଛି ଆଜି ।’’ କପଟ ସୌଜନ୍ୟତା ପ୍ରକାଶ କଲେ ମି: ଚୌଧୁରୀ ।

‘‘ଆହା ହା, ସେମିତି କହି ଆଉ ଲଜ୍ଜା ଦିଅନ୍ତୁ ନାହିଁ । ଆମେ ହେଲୁ କିବା ମଣିଷ । ଆପଣମାନେ ହେଲେ ଜାତିର, ଦେଶର ଗୌରବ, ଦେଶର ରକ୍ଷକ । ଆଜି ଆପଣମାନଙ୍କ ପାଇଁ ଆମେ ଧନଜୀବନ ନିରାପଦରେ ରଖିପାରିଛୁ । ନୋହିଲେ କେଉଁ ଦିନରୁ କ’ଣ ହୋଇଯାନ୍ତାଣି । ହଁ, ମୁଁ କେତେଦୂର ପର୍ଯ୍ୟନ୍ତ ଆପଣଙ୍କ ସହଯାତ୍ରୀ ହୋଇପାରିବି ?’’

ମି: ଚୌଧୁରୀ ସବୁ ବୁଝିପାରୁଥିଲେ । ଏଇ ଶେଷ ପ୍ରଶ୍ନଟା ହିଁ ପଚାରିବାପାଇଁ ଏତେଗୁଡ଼ିଏ ପ୍ରଶଂସାର ଭୂମିକା ।

‘‘ଏଇ ଯାଜପୁର ରୋଡ଼୍‌ ଯାଏ ।’’

‘‘କ’ଣ କିଛି ସନ୍ଧାନରେ ?’’

‘ହଁ, ଆପଣ ଶୁଣିଥିବେ, ଏଇ କେତେଦିନ ତଳେ ମାଡ୍ରାସମେଲ୍‌ ଟ୍ରେନରେ ଜଣେ ଭଦ୍ରଲୋକ ଖୁନ୍‌ ହୋଇଥିଲେ । ସେଇ ସମ୍ବନ୍ଧରେ ଖବର ମିଳିଛି ଯେ ଖୁନୀ ସୁକିନ୍ଦା ଆଡ଼େ ପଳାଇଛି ବୋଲି । ଆଜିର ଯାତ୍ରାଟା ସେଇ ସନ୍ଧାନରେ ।’

ହଁ, ହଁ, ମୁଁ ତ ଶୁଣିଥିଲି । ସେଇଠି କେତେଦିନ ଯେଉଁ ଭୟ ଆମର ହୋଇଛି ? ତା’ପରେ ସୁକିନ୍ଦା ସାଇଡ୍‍ଟା ବଡ଼ ଜଙ୍ଗଲିଆ । ଖୁଣୀ, ଦାଗୀଙ୍କର ରହିବା ଜାଗା ଏକା । ଯାହାହେଉ, ଆପଣଙ୍କ ପରି ବିଚକ୍ଷଣ ଗୋଏନ୍ଦା ! ଖସି ଯାଇ ପାରିବ ନାହିଁ କେବେ ସେ ଆପଣଙ୍କ କବଳରୁ ।’ ସନ୍ତୋଷର ଚିହ୍ନ ଫୁଟ ଉଠୁଥିଲା ତାଙ୍କ ମୁହଁରେ ।

‘‘ଦେଖାଯାଉ କ’ଣ ହେଉଛି ?’’ ଗମ୍ଭୀର ଭାବରେ କହିଲେ ମି: ଚୌଧୁରୀ । ସେଠ୍‌ଜୀଙ୍କ ମନର ଭାଷା ବୁଝିବାକୁ ଚେଷ୍ଟା କରୁଥିଲେ ସେ ।

ଝରକା କଡ଼କୁ ଆଉଜି ଶୋଇବାର ଉପକ୍ରମ କଲେ ସେଠ୍‌ଜୀ । ମି: ଚୌଧୁରୀ ବ୍ୟାଗରୁ ଦୈନିକ ଖବରକାଗଜଟା କାଢ଼ି ପଢ଼ି ବସିଲେ ।

ଟ୍ରେନ୍‌ ଯାଜପୁର ରୋଡ଼ରେ ଠିଆ ହେବାକ୍ଷଣି ମି: ଚୌଧୁରୀ ବ୍ୟାଗ୍‌ ଖଣ୍ଡି ଧରି ଉଠି ଠିଆହେଲେ । ସେଠ୍‌ଜୀ ନିଦ ମଳମଳ ହୋଇ ପଚାରିଲେ–‘କ’ଣ ଆପଣଙ୍କର ହୋଇଗଲା ?’

‘‘ହଁ, ଆଚ୍ଛା ନମସ୍ତେ ।’’ ବୁଟ ଆବାଜ କରି ଓହ୍ଲାଇପଡ଼ିଲେ ମି: ଚୌଧୁରୀ । ପାଛୋଟି ଦେବାକୁ ଦରଜା ପର୍ଯ୍ୟନ୍ତ ଚାଲି ଆସିଲେ ସେଠ୍‌ ଦୟାଲରାମ; ପାଛୋଟି ଦେବାକୁ ତ ନୁହେଁ, ଗତିବିଧି ନିରୀକ୍ଷଣ କିରବାକୁ ମି: ଚୌଧୁରୀଙ୍କର ।

ଚତୁର ଡିଟେକ୍‌ଟିଭ ମି: ଚୌଧୁରୀ ବି ତାଙ୍କ ସନ୍ଦେହ ଏଡ଼ାଇବାପାଇଁ ସିଧା ସିଧା ଓଭର ବ୍ରିଜ୍‌ ଦେଇ ବାହାରକୁ ଚାଲି ଆସିଲେ । ସ୍ୱସ୍ତିର ନିଃଶ୍ୱାସ ମାରି ନିଜ ଆସନରେ ବସି ପଡ଼ିଲେ ଦୟାଲରାମ ।

ଗାଢ଼ କଳା ଧୂଆଁରେ ରାତ୍ରି ଆକାଶକୁ ଆଚ୍ଛନ୍ନ କରି ଧୀରେ ଧୀରେ ପ୍ଳାଟ୍‌ଫର୍ମରୁ ଚାଲିଯାଉଥିଲା ମେଲ୍‌ ।

ଷ୍ଟେସନ ବାହାରେ ଅପେକ୍ଷା କରିଥିଲା ଶରତ୍‌ । ମି: ଚୌଧୁରୀ କାରରେ ବସିଲା ମାତ୍ରେ ଦ୍ରୁତଗାମୀ କ୍ଷୁଦ୍ର କାର୍‌ ଖଣ୍ଡି ଛୁଟି ଚାଲିଲା ଭଦ୍ରଖ ଅଭିମୁଖେ । ଯେ କୌଣସି ପ୍ରକାରେ ଟ୍ରେନ୍‌ ଧରିବାକୁ ହେବ । ସ୍ପିଡ୍‍ ମିଟରର କଣ୍ଟା ଷାଠିଏ, ସତୁରି ମଧ୍ୟରେ ଏପଟ ସେପଟ ହେଉଥିଲା ।

ଭଦ୍ରଖରେ ପହଞ୍ଚିଲା ବେଳକୁ ଗାଡ଼ି ଆସିବାର ଦ୍ୱିତୀୟ ଘଣ୍ଟି ହୋଇସାରିଥିଲା । ଚଟପଟ୍‌ ଟିକଟ୍‌ ଖଣ୍ଡିଏ କିଣି ବେଶ ବଦଳାଇବାରେ ଲାଗିପଡ଼ିଲେ ମି: ଚୌଧୁରୀ । ବେଶ ପରିବର୍ତ୍ତନରେ ସିଦ୍ଧହସ୍ତ । ତାଙ୍କୁ ଆଉ ଚିହ୍ନି ପାରିବାର ଉପାୟ ନାହିଁ । ବର୍ତ୍ତମାନ ସେ ଜଣେ ମୁସଲମାନ ଫକୀର ।

ସମସ୍ତଙ୍କର ଦୃଷ୍ଟି ଅଲକ୍ଷ୍ୟରେ ଗୋଟିଏ ତୃତୀୟ ଶ୍ରେଣୀ ଡବାରେ ଉଠିଗଲେ ସେ ।

Image

 

–ଆଠ–

 

ହାଓଡ଼ା ଷ୍ଟେସନରେ ଗାଡ଼ି ପହଁଞ୍ଚିଲା ବେଳକୁ ରାତି ତିନିଟା । ଲୋକଗହଳି ଭିତରେ ଫାଷ୍ଟକ୍ଳାସ୍‌ କମ୍ପାଟମେଣ୍ଟ ଭିତରୁ ଓହ୍ଲାଇ ଆସିଲେ ସେଠ୍‌ ଦୟାଲରାମ । ପୋଷାକ ପତ୍ରରେ ଅପୂର୍ବ ପରିବର୍ତ୍ତନ । ଦେହରେ ଦାମୀ ସୁଟ୍‌ କୋଟ୍‌ । ମୁଣ୍ଡରେ ଫେଲ୍‌ଟ କ୍ୟାପ୍‌ । ଆଲୋକ ଖୁଣ୍ଟିର ଛାଇରେ ଏସବୁ ଲକ୍ଷ୍ୟ କରି ହସୁଥିଲେ ମୁସଲମାନ ଫକୀର ଜଣକ ।

ସିଧା ପ୍ଳାଟ୍‌ଫର୍ମ ବାହାରକୁ ଆସି ସେଠ୍‌ଜୀ ଗୋଟାଏ ଘୋଡ଼ା ଗାଡ଼ିରେ ବସି କଚୁଆନକୁ ନିମ୍ନ ସ୍ୱରରେ କ’ଣ କହିଲେ । ଗାଡ଼ି ଚାଲିବାକୁ ଆରମ୍ଭ କଲାକ୍ଷଣି ଫକୀର ଜଣକ ଗାଡ଼ି ପଛରେ ଖୁବ୍‌ ସତର୍କତାର ସହିତ ଛିଡ଼ା ହୋଇ ପଡ଼ିଲେ । କେହି ଏହା ଲକ୍ଷ୍ୟ କରି ପାରିଲେ ନାହିଁ । ମହାନଗରୀର ମସୃଣ ରାସ୍ତା ଉପରେ ଗାଡ଼ିର ଚକ ଘିର୍‌ ଘିର୍ ହୋଇ ଗଡ଼ି ଚାଲିଲା ।

ଚୀନାବଜାରର ଗୋଟାଏ ଅତି ସଂକୀର୍ଣ୍ଣ ରାସ୍ତାରେ ଗାଡ଼ି ପହଞ୍ଚିଲା । ରାସ୍ତାରେ ଆଲୁଅଟିଏ ବି ନାହିଁ । କାଁ ଭାଁ କିରୋସିନୀ ବତୀଟାଏ ମିଞ୍ଜି ମିଞ୍ଜି ହୋଇ ଜଳୁଛି । ସମସ୍ତ ରାତିଟା ଆଲୋକ ଦେଇସାରି ଶେଷ ଆଡ଼କୁ ସେବି ଘୁମେଇ ପଡ଼ୁଥିଲା ଯେପରି ।

ଖୁବ୍ ଅନ୍ଧାରୁଆ ଗୋଟାଏ ସ୍ଥାନରେ କଚୁଆନ ଗାଡ଼ି ରୋକି ନେଲା । ଅତି ସାବଧାନରେ ଓହ୍ଲାଇ ପଡ଼ିଲେ ଫକୀର । ଅନ୍ଧାରରେ ଦେଖି ହେଉ ନ ଥିଲା ତାଙ୍କୁ । ସଙ୍ଗେ ସଙ୍ଗେ ରାସ୍ତା କଡ଼ର ଗୋଟାଏ ଅଳିଆ ଡ୍ରମ୍‌ କଡ଼ରେ ଆତ୍ମଗୋପନ କରିନେଲେ ସେ । ସେଠ୍‌ଜୀ ଗାଡ଼ି ଭିତରୁ ଓହ୍ଲାଇ ନୋଟ୍‌ଟାଏ କଚୁଆନ ଆଡ଼କୁ ବଢ଼ାଇ ଦେଇ ଆଗକୁ ଗୋଡ଼ ବଢ଼ାଇଲେ । କଚୁଆନ ଗାଡ଼ି ଆଲୁଅଟାରେ ନୋଟଟାକୁ ଦେଖି ନେଲା । ମୁହଁରୁ ଆପେ ଆପେ ତା’ର ବାହାରି ପଡ଼ିଲା ‘କ୍ୟା ! ଦଶ ରୂପେୟା !’ ମନ ଆନନ୍ଦରେ ଗାଡ଼ି ଫେରାଇଲା ସେ ।

କଚୁଆନ ଚାଲିଗଲା ମାତ୍ରେ ଫକୀର ଓରଫ ମି: ଚୌଧୁରୀ ସେଠ୍‌ଜୀଙ୍କ ପଛେ ପଛେ ବଡ଼ ସନ୍ତର୍ପଣରେ ଆଗେଇଗଲେ । ସେତେବେଳ ପର୍ଯ୍ୟନ୍ତ ତାଙ୍କର ତୀକ୍ଷ୍ଣଦୃଷ୍ଟିର ବାହାରକୁ ସେଠ୍‌ଜୀ ଯାଇପାରି ନ ଥିଲେ । ଯାହାହେଉ ଦୁଇମିନିଟ୍‍ ମଧ୍ୟରେ ସେଠ୍‌ଜୀ ଆଉ ମି: ଚୌଧୁରୀଙ୍କ ଦୂରତା କମି ଆସିଲା । ଏ କନ୍ଦି ସେ କନ୍ଦି ହୋଇ ପ୍ରାୟ ମାଇଲିଏ ବାଟ ଗଲା ପରେ ସେଠ୍‌କୀ ଗୋଟାଏ ଜଙ୍ଗଲିଆ ଜାଗାରେ ପହଞ୍ଚିଲେ । ସ୍ଥାନଟା ଭଙ୍ଗା ହାଣ୍ଡି, ଟିଣ, କାଚ, ଆଉ କଣ୍ଟା କୁସୁମ ଗଛରେ ପୂର୍ଣ୍ଣ । ମଝିରେ ଜଣେ ଚାଲି ଯାଇପାରିଲାଭଳି ରାସ୍ତା । ସେଇ ବଣରେ କିଛି ବାଟ ଗଲା ପରେ ଗୁଡ଼ାଏ ଦେବଦାରୁ ଗଛ । ତାରି ମଝିରେ ନୁଆଁଣିଆ ଚାଳିଘରଟିଏ ଝାପ୍‌ସା ଝାପ୍‌ସା ଦେଖାଯାଉଥାଏ । ସେଠ୍‌ଜୀ ସେଇ ଘରର ପିଣ୍ଡା ଉପରକୁ ଉଠି ଦରଜାରେ ଠକ୍‌ ଠକ୍‌ କଲେ ।

ପ୍ରାୟ ପନ୍ଦର କୋଡ଼ିଏ ଥର ଠକ୍‌ ଠକ୍‌ କଲାପରେ କବାଟ ଖୋଲିାବର ଶଦ୍ଦହେଲା । ସଙ୍ଗେ ସଙ୍ଗେ ଦୁଆର ଦେଇ ଆଲୋକରେଖା ବିଛୁଡ଼ି ହୋଇ ପଡ଼ିଲା ବାହାରେ । ମି: ଚୌଧୁରୀ କାନ୍ଥକଡ଼ରେ ନିଜକୁ ଲୁଚାଇ ରଖି ଦେଖୁଥିଲେ ସେଠ୍‌ଜୀଙ୍କର ଗତିବିଧି ।

ସେଠ୍‌ଜୀଙ୍କୁ ଦେଖିବାକ୍ଷଣି ଘରଭିତରର ଲୋକଟି କହି ପକାଇଲା ଆରେ ‘‘ନଜିର ସାବ୍‌-। ତୁମେ ଏତେ ରାତିରେ ? କିଛି ଗରଜ ପଡ଼ିଲା ବୋଧେ ? ଚାଲ୍‌ ଭିତରକୁ କହୁଛି ।’’ ସେଠ୍‌ଜୀ ପଶିଗଲେ ଭିତରକୁ । ଧଡ଼ାସ୍‍ କରି କବାଟଟା ବନ୍ଦ ହୋଇଗଲା ସଙ୍ଗେ ସଙ୍ଗେ ।

ମି: ଚୌଧୁରୀ ଝରକା ଫାଙ୍କରେ ଦେଖି ପାରୁଥିଲେ ଭିତରର ସବୁ; କଥା ବି ଶୁଣାଯାଉଥିଲା ଅସ୍ପଷ୍ଟ ଭାବରେ ।

‘‘ପାଞ୍ଚଶହ ଟଙ୍କାରେ ମୁଁ ମୋଟେ ପାରିବି ନାହିଁ । ସେ ପୁଣି ଏମିତି ଜଣେ ନୁହେଁ–ରୀତିମତ ଜବରଦସ୍ତ ।’’

‘‘ଅନ୍ତତଃ ଚେଷ୍ଟାକରି ଦେଖ୍‌ ଆଲ୍ଲାଦ୍ଦିନ୍‌ । କାମ ଫତେକର । ତୋ କଥା କ’ଣ ଆମେ ବୁଝିବା ନାହିଁ ?’’ ସେଠ୍‌ଜୀଙ୍କ ସ୍ୱର ବାରିପାରୁଥିଲେ ମି: ଚୌଧୁରୀ ।

‘‘ଆଗ କଥା ପଛକୁ ମୁଁ ରଖି ଜାଣେ ନାହିଁ । ଯାହା ହବ ସାଫ୍‌ ସାଫ୍‌ ପକ୍‌କା । ଅବିକା ନେବି ପାଞ୍ଚଶହ । ତା’ପରେ କାମ ଖତମ୍‌ କଲେ ପାଞ୍ଚଶହ । ଏଥିରେ ଯଦି ରାଜି ତ ରହ, ନୋହିଲେ ସିଧା ଚାଲିଯାଅ ।’’ ମୋଟା ଗଳାରେ କହିଲା ଆଲ୍ଲାଦ୍ଦିନ୍‌ ।

‘‘କାମ ଯଦି କରି ନ ପାରୁ ?’’

‘ହାଃ ହାଃ’ ହସରେ ଘରଟା କମ୍ପି ଉଠିଲା ଯେପରି । ‘‘ଆଲ୍ଲାଦ୍ଦିନ୍‌ ପାରେ ଏମିତି କାମ କିଛି ନାହିଁ ନଜିର ସା’ବ୍‌ । ଏ ଦେହରେ ଲୋମ ଯେତେ, କାମ ଖତମ୍‍ କରିଛି ସେତେ । ଏତ ବାୟାଁ ହାତକା ଖେଲ୍‌’’–କହି ବାହାରେ ଫୁଟ୍‌କି ମାରୁଥିଲା ଆଲ୍ଲାଦ୍ଦିନ୍‌ ।

‘‘ବେଶ୍‌ ! ଧର !’’ ପାଞ୍ଚଖଣ୍ଡ ଶହେ ଟଙ୍କିଆ ନୋଟ ପକେଟରୁ କାଢ଼ି ଫିଙ୍ଗିଦେଲେ ଆଲ୍ଲାଦ୍ଦିନ୍‍ର ଆଗକୁ ସେଠ୍‌ଜୀ । ଆଲ୍ଲାଦ୍ଦିନ୍‌ ପ୍ରତି ଉତ୍କଟ ଘୃଣାର ଚିହ୍ନ ତାଙ୍କ ମୁହଁରେ ଫୁଟି ଉଠୁଥିଲା ପରିଷ୍କାର ।

ବୀର ଦର୍ପରେ ନୋଟ କେତେଖଣ୍ଡ ଗୋଡ଼ ଆଙ୍ଗୁଳିରେ ଚାପି ଉଠାଇ ନେଲା ହାତକୁ ଆଲ୍ଲାଦ୍ଦିନ୍‌ ‘‘ଏକ, ଦୁଇ, ତିନ୍‌......ଠିକ୍‌ ଅଛି ।’’

ସେଠ୍‌ଜୀ ବାହାରି ଆସୁଥିଲେ–ପଛରୁ ଡାକିଲା ଆଲ୍ଲାଦ୍ଦିନ୍‍ । ‘‘ଆଚ୍ଛା ଦୋସ୍ତ ! ତୁମେ ଆଜି ମୋର ମେହେମାନ । ଖାଲି ଖାଲି ଯିବାଟା ଠିକ୍‌ ହେବ ନାହିଁ । ମୁନ୍ଦାଏ ପିଇଦେଇ ଯାଅ ।’’ ଏତକ କହି ଖଟିଆ ତଳୁ ବାହାରକରି ଆଣିଲା ଗୋଟିଏ ପରିପୂର୍ଣ୍ଣ ବୋତଲ । ବୋତଲଟିକୁ ଆଲ୍ଲାଦ୍ଦିନ୍‍ ହାତରୁ ଖପ୍‌କରି ଝାମ୍ପି ନେଲେ ସେଠ୍‌ଜୀ । ହାତରେ ଦୁଇଥର ସେପଟ ଏପଟ କରିନେଇ ମୁହଁରେ ଲଗାଇ ଦେଲେ । ମୁହୂର୍ତ୍ତକ ମଧ୍ୟରେ ବୋତଲ ଶୂନ୍ୟକରି ସେଟାକୁ ଠଣ୍‌ କରି ଫିଙ୍ଗିଦେଇ ଝଡ଼ପରି ବାହାରିଗଲେ ସେଠୁ ।

ଆଲ୍ଲାଉଦ୍ଦିନ୍‌ ନୋଟ ପାଞ୍ଚଖଣ୍ଡିକୁ ତାସପରି ହାତରେ ସଜାଡ଼ି ଧରି ଦେଖୁଥିଲା ପରମ ତୃପ୍ତିରେ । ମି: ଚୌଧୁରୀ ଦେଖୁଥିଲେ ଆଲ୍ଲାଉଦ୍ଦିନ୍‍ର ବିରାଟ ଆଉ କଦାଚାର ରୂପକୁ । ମୂର୍ତ୍ତିମନ୍ତ ଯମ !

କେଉଁ ଲୋକକୁ ଖତମ କରିବାପାଇଁ ଆଲ୍ଲାଦ୍ଦିନ୍‍ ପାଞ୍ଚଶହ ଟଙ୍କା ନେଲା, ସେ କଥାତ ସେ କିଛି ଜାଣିପାରିଲେ ନାହିଁ । ‘ଯାହା ହେଉ; ତାରି ପିଛା ନେବାକୁ ପଡ଼ିବ ।’

‘ଆରେ ! ସେଠ୍‌ଜୀ ଚାଲିଗଲେଣି କେତେବେଳୁ ? ତାଙ୍କୁ ତ ଅନୁସରଣ କରିବା ନିହାତି ଦରକାର !’ କର୍ତ୍ତବ୍ୟ ଚେତନାରେ ଛପିଲା ଜାଗାରୁ ଛୁଟି ଚାଲିଲେ ସେ–ଜଙ୍ଗଲିଆ ରାସ୍ତାଦେଇ ।

କିନ୍ତୁ ସେଠ୍‌ଜୀ ଅଦୃଶ୍ୟ ହୋଇଯାଇଥିଲେ ସେତେବଳକୁ ।

Image

 

–ନଅ–

 

ଲାଲ ବଜାର ପୋଲିସ୍‌ ହେଡ୍‍କ୍ୱାଟର୍ସରେ ଗଭୀର ଆଲୋଚନାରେ ବ୍ୟସ୍ତ ଥିଲେ ମି: ଚୌଧୁରୀ । ‘ଏଇ ଦେଖନ୍ତୁ; ମୁଁ ଆଉଥରେ ଶୁଣାଇ ଦେଉଛି’ କହି ଫାଇଲ ଖୋଲି ପଢ଼ିବାକୁ ଆରମ୍ଭ କଲେ ମି: ଆଲବର୍ଟ ।

 

‘‘ରାଧାମାଧବ ବୋଷ କଲିକତାର ସ୍ଥାୟୀ ବାସିନ୍ଦା । ଏମାନଙ୍କର ପୂର୍ବପୁରୁଷମାନେ ମଧ୍ୟ ଏଠିକାର ସଚ୍ଚୋଟ ବାସିନ୍ଦା ଥିଲେ । ରାଧାମାଧବଙ୍କ ପିତା ଜଣେ ମଧ୍ୟବିତ୍ତ ଶ୍ରେଣୀର ବ୍ୟବସାୟୀ ଥିଲେ ଓ ସ୍ୱୀୟ ବୁଦ୍ଧି ବଳରେ କିଛି ଅର୍ଥ ଉପାର୍ଜନ କରିଯାଇଥିଲେ । ପିତାଙ୍କ ମୃତ୍ୟୁପରେ ସେ ସ୍ୱବୁଦ୍ଧି ବଳରେ ପୈତୃକ ଧନ ସମ୍ପତ୍ତି ବଢ଼ାଇ ସୁନା ବ୍ୟବସାୟ ଆରମ୍ଭ କଲେ । ଏହି ବ୍ୟବସାୟରେ ତାଙ୍କର ଉତ୍ତରରୋତ୍ତର ଉନ୍ନତି ହେଲା । ରାଧାମାଧବଙ୍କର ସାନଭାଇ ଜୟମାଧବ । ଜୟମାଧବ ରାଧାମାଧବଙ୍କୁ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧା କରୁଥିଲେ । ରାଧାମାଧବ ସାନଭାଇଙ୍କୁ ବ୍ୟବସାୟରେ ନ ପୂରାଇ ଉଚ୍ଚଶିକ୍ଷା ଦେଇଥିଲେ । ଶିକ୍ଷା ପ୍ରଭାବରେ ଭାଇ ଜୟମାଧବ ଜଣେ ସ୍ୱାଧୀନଚେତା ଓ ପ୍ରବୀଣ ଶିକାରୀ ହୋଇପାରିଥିଲେ । ତେଣୁ ସେ ସାଥିମେଳରେ ଶିକାର ଓ ଦେଶ ଭ୍ରମଣରେ ସମୟ ଅତିବାହିତ କରୁଥିଲେ । ରାଧାମାଧବ ମଧ୍ୟ ଅକୁଣ୍ଠିତ ହୃଦୟରେ ସାନ ଭାଇର ସମସ୍ତ ବ୍ୟୟ ବହନ କରୁଥିଲେ । ରାଧାମାଧବ ବିବାହିତ ଓ ତାଙ୍କ ସ୍ତ୍ରୀ ମୃତ । ତାଙ୍କର ଏକମାତ୍ର କନ୍ୟା ମଞ୍ଜୁଳା ଜୀବିତା । ସେ ବର୍ତ୍ତମାନ ଆଇ.ଏ. ଶ୍ରେଣୀର ଛାତ୍ରୀ । ଜୟମାଧବ ଅବିବାହିତ ।

 

ଜୟମାଧବ ଥରେ ବିଦେଶ ପର୍ଯ୍ୟଟନରେ ଥିବାବେଳେ ପଞ୍ଚାବରୁ ଜଣେ ଚାକର ଆଣିଥିଲେ । ତା’ର ନାମ ‘ପବନ ସିଂ’ । ସେ ରାଧାମାଧବଙ୍କ ନିକଟରେ ପ୍ରାୟ ୧୦ ବର୍ଷ ରହିଥିଲା ଓ ତା’ପରେ କିଛି ଧନ ଅପହରଣ କରି ଫେରାର ହୋଇ ଯାଇଥିଲା । ରାଧାମାଧବ ପବନ ସିଂକୁ ଅତ୍ୟନ୍ତ ସ୍ନେହ କରୁଥିଲେ । ତେଣୁ ସେ ଧନ ଉପରେ ଅଧିକ ଗୁରୁତ୍ୱ ନ ଦେଇ ସେ କଥା ପୋଲିସ୍‍କୁ ଜଣାଇ ନ ଥିଲେ । ପବନର ସନ୍ଧାନ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ ।

 

ବ୍ୟବସାୟ କ୍ରମେ ବଢ଼ି ଉଠିବାରୁ ରାଧାମାଧବବାବୁ ଜଣେ ମେନେଜର ରଖିଥିଲେ । ତାଙ୍କ ଘର ପାଟନା ଅଞ୍ଚଳରେ । ବିଶେଷ ପରିଚୟ ଜୟମାଧବବାବୁ ଜାଣି ନ ଥିବାରୁ ଦେଇ ନାହାନ୍ତି । ମେନେଜରଙ୍କ ପ୍ରରୋଚନାରେ ରାଧାମାଧବ ଓଡ଼ିଶାର କଟକଠାରେ ଗୋଟିଏ ଶାଖା ପ୍ରତିଷ୍ଠାନ ଖୋଲିଥିଲେ, ତା’ର ନାମ ‘ପ୍ରଭାତୀ–ଜୁୟେଲରି’ । ମେନେଜର ସେଠିକାର ସର୍ବେସର୍ବା ହୋଇଯାଇଛନ୍ତି । ତାଙ୍କ ନାମ ସେଠ୍‌ ଦୟାଲରାମ । ତାଙ୍କ ଚରିତ୍ର ଓ ପ୍ରକୃତି ସମ୍ପର୍କରେ ଜୟମାଧବବାବୁ କିଛି ବିବରଣୀ ଦେଇପାରି ନାହାନ୍ତି । କାରଣ ସେ ଅତି ସରଳ ଓ ଅମାୟିକ ଲୋକ ଥିବାରୁ କାହାରି ଚରିତ୍ର ବିଶ୍ଳେଷଣ କରିବାକୁ କେବେ ଚେଷ୍ଟା କରି ନାହାନ୍ତି ।

 

ପ୍ରାୟ ପନ୍ଦରଦିନ ତଳେ ସେଠ୍‌ ଦୟାଲରାମ ରାଦାମାଧବବାବୁଙ୍କ ପାଖକୁ ଖଣ୍ଡିଏ ଚିଠି ଦେଇଥିଲେ ଯେ, ଏଠାରେ ଜଣେ ରାଜବଂଶୀୟ ବହୁ ମୂଲ୍ୟବାନ ମଣିମୁକ୍ତା ଓ ରତ୍ନ ବିକ୍ରି କରିବାପାଇଁ ଇଚ୍ଛୁକ ଅଛନ୍ତି । ସେସବୁ କିଣିବାକୁ ଆପଣ ଇଚ୍ଛା କରୁଥିଲେ ନଗଦ ଲକ୍ଷେ ଟଙ୍କା ଧରି ମାନ୍ଦ୍ରାଜ ଆସନ୍ତୁ । ମୁଁ ଆପଣଙ୍କୁ କଟକଠାରେ ଦେଖାକରିବି । ଯଥା ସମୟରେ ରାଧାମାଧବବାବୁ ଯାଇଥିଲେ । ତାହାହିଁ ତାଙ୍କର ଶେଷଯାତ୍ରା ।

 

ରାଧାମାଧବବାବୁଙ୍କ ବ୍ୟବସାୟର ସମସ୍ତ କାଜଗପତ୍ର ବର୍ତ୍ତମାନ ଜୟମାଧବବାବୁ ଯାଞ୍ଚ କରାଉଛନ୍ତି । ତାଙ୍କର ଜମାନବନ୍ଦୀରୁ ପ୍ରକାଶ ଯେ ଓଡ଼ିଶା ଶାଖାର ମେନେଜର ପ୍ରାୟ ଚାରି ଲକ୍ଷ ଟଙ୍କାର ହିସାବ ଦେଇ ନାହାନ୍ତି । ମାତ୍ର ଛଅମାସ ମଧ୍ୟରେ ଦେବେ ବୋଲି ପତ୍ରଦ୍ୱାରା ପ୍ରତିଶ୍ରୁତି ଦେଇଛନ୍ତି ।’’ ‘ଏ ହେଲା ରାଧାମାଧବଙ୍କ ଇତିବୃତ୍ତ । ଏହା ବିଷୟରେ ଆଉ କିଛି ପଚାରିବାର ଥିଲେ ପଚାରି ପାରନ୍ତି,’ କହି ଫାଇଲ ବନ୍ଦ କଲେ ମି: ଆଲ୍‌ବର୍ଟ ।

 

ଚିନ୍ତା କରୁଥିଲେ ମି: ଚୌଧୁରୀ–‘କି ସାଂଘାତିକ ଲୋକ ଏଇ ସେଠ୍‌ ଦୟାଲରାମ ! ରାଧାମାଧବବାବୁଙ୍କୁ ହତ୍ୟାକରି ସାରି ଏଥର କୋପଦୃଷ୍ଟି ବୋଧହୁଏ ଜୟମାଧବ ଉପରେ ପକାଇଛି, ଜୟମାଧବବାବୁଙ୍କୁ ଖତମ୍‌ କରି ମଞ୍ଜୁଳାକୁ ହରଣଚାଳ କରିନେଲେ ନିମକହାରାମ ପବନ ସିଂକୁ କିଛି ମୋଟା ବକ୍‌ସିସ୍‌ ଦେବ । ଆଉ ମଞ୍ଜୁଳାକୁ ବାହା ହେଇ ବିରାଟ ସମ୍ପତ୍ତିର ମାଲିକ ହୋଇ ରହିବ । ବାଃ, ସୁନ୍ଦର ପରିକଳ୍ପନା ।’

 

ସମସ୍ତ ବିଷୟ ସେ ବୁଝାଇ ବସିଲେ ମି: ଆଲବର୍ଟଙ୍କୁ । ମି: ଆଲବର୍ଟ କଥା ମଝିରେ ପଚାରିଲେ–‘‘ଆଚ୍ଛା । ଆପଣ କିମିତି ଜାଣିଲେ ସେ ଆଜି ଜୟମାଧବକୁ ହତ୍ୟାକରିବ ବୋଲି !

 

‘‘ଏଥିରେ ଆଉ କିଛି ସନ୍ଦେହ ଅଛି ନା କ’ଣ ? କାଲି ଟଙ୍କା ନେଣଦେଣ୍‌ ହୋଇଛି । ଆଜି କାମ ଶେଷ ହେଲେ ୧୪ ତାରିଖରେ ସେ ଯେମିତି ହେଉ ମଞ୍ଜୁଳାକୁ ଧରି ଚାଲିଯିବ । ବର୍ତ୍ତମାନ ଆମକୁ ଖୁବ୍‌ ସାବଧାନରେ କାମ କରିବାକୁ ହେବ । ନୋହିଲେ ଓଡ଼ିଶାରେ ସେମାନେ ଖୁବ୍‌ ସାବଧାନ ହୋଇଯିବେ ।’’

 

‘‘ତେବେ ବର୍ତ୍ତମାନ କ’ଣ କରିବାକୁ କହୁଛନ୍ତି’’–ପଚାରିଲେ ମି: ଆଲବର୍ଟ । ‘‘ଶୁଣନ୍ତୁ ! ଆମର ପ୍ରଥମ କାମ ହେଲା, ଜୟମାଧବଙ୍କୁ ଆଲ୍ଲାଦ୍ଦିନ୍‌ ହାତରୁ ରକ୍ଷା କରି ତାକୁ ଗିରଫ କରିବା, ଆଉ ଜୟମାଧବଙ୍କୁ ଗୋପନରେ ରଖିବା । ତା’ ସଙ୍ଗେ ସଙ୍ଗେ ମୃତ୍ୟୁ ଖବର ରାଷ୍ଟ୍ର କରାଇବା–ଯେପରି ସେଠ୍‌ ଦୟାଲ ଓରଫ୍‌ ନଜିର ମଞ୍ଜୁଳାକୁ ନେଇ ଯାଇପାରିବ, ତା’ର ସମସ୍ତ ସୁବିଧା କରିବା-। ବାଟରେ ଡକାୟତକୁ ଅନୁସରଣ କରି ତାଙ୍କର ଆଡ଼ା ଆବିଷ୍କାର କରିବା, ଆଉ ସୁବିଧା ଦେଖି କାମ ହାସଲ କରିବା ।’’ ମି: ଆଲବର୍ଟ ସମ୍ମତି ଜଣାଇଲେ ।

 

ଜୟମାଧବବାବୁଙ୍କୁ ଏସବୁ ବିଷୟ ଜଣାଇ ସାବଧାନ କରିଦେବାପାଇଁ ବହୁବଜାର ଷ୍ଟ୍ରୀଟ୍‌ ଅଭିମୁଖେ ଯାତ୍ରା କଲେ ମି: ଚଉଧୁରୀ ଆଉ ମି: ଆଲବର୍ଟ ।

 

ସଞ୍ଜ ହେବା ସଙ୍ଗେ ସଙ୍ଗ ତୁମୂଳ ଝଡ଼ ବର୍ଷାର ସଂଗ୍ରାମ ଲାଗିରହିଛି ମହାନଗରୀର ଛାତି ଉପରେ । ଡ୍ରେନ୍‌ ବୁଡ଼ି ରାସ୍ତାଉପରେ ବି ପାଣିର ଆଣ୍ଠୁଆଣି ସ୍ରୋତ ବହି ଚାଲିଛି । ରାସ୍ତା ଘାଟ ପୂରାପୂରି ନିର୍ଜନ । କେବଳ ବିଜୁଳିବତୀ କତୋଟି ନିର୍ଭୀକ ମୁଣ୍ଡ ଟେକି ଆଲୋକ ବିଛାଡ଼ି ଦେଉଛନ୍ତି-

 

ରାଧାମାଧବବାବୁଙ୍କ ପ୍ରାସାଦ । ଗୋଟିଏ କକ୍ଷରେ ଗୁପ୍ତ ଆଲୋଚନାରେ ବ୍ୟସ୍ତ ଥିଲେ ମି: ଚଉଧୁରୀ, ଜୟମାଧବବାବୁ ଆଉ ମି: ଆଲବର୍ଟ । ସାମାନ୍ୟ କେତେକ୍ଷଣ ଗୁପ୍ତ ଆଲୋଚନା ପରେ ତିନିଜଣ ଯାକ ଉଠି ଅନ୍ୟ ଆଡ଼କୁ ଚାଲିଗଲେ । ରାତ୍ରୀର ଗଭୀରତା ବଢ଼ିବା ସଙ୍ଗେ ସଙ୍ଗେ ଝଡ଼ ବର୍ଷାର ଅବିଶ୍ରାନ୍ତ ସଂଗ୍ରାମ ଲାଗି ରହିଥାଏ ।

 

ଟଂ ଟଂ କରି ଘଡ଼ିରେ ବାଜିଲା ବାରଟା । ମହାନଗରୀ ନିସ୍ତବ୍‌ଧ । ରାଧାମାଧବବାବୁଙ୍କ ବିରାଟ ପ୍ରାସାଦ ଅନ୍ଧାରରେ ଘୁମେଇ ପଡ଼ିଛି ଯେପରି । କେବଳ ଦୋତାଲା ଉପରେ ଜୟମାଧବବାବୁଙ୍କ ଶୟନ କକ୍ଷରେ ନୀଳ ବର୍ଣ୍ଣ କ୍ଷୁଦ୍ର ଆଲୋକଟି ପ୍ରାସାଦର ସତ୍ତା ସମ୍ବନ୍ଧରେ ଧାରଣା ଆଣିଦେଇଛି ଯାହା । ସେହି ଘୋର ଅନ୍ଧକାରରେ ଦୋତାଲା ବାରଣ୍ଡାରେ ଏପଟ ସେପଟ ହେଉଥିଲେ ଦୁଇଟି କଳା ପୋଷାକଧାରୀ ଲୋକ । ହାତରେ ଗୁଳିଭରା ରିଭଲଭର୍‌ । ସତର୍କ ଦୃଷ୍ଟି ଥିଲା ତାଙ୍କର ବାହାରକୁ । ସେ ମି: ଆଲବର୍ଟ, ଆଉ ମି: ଚୌଧୁରୀ । ଅପେକ୍ଷା କରି ରହିଥିଲେ ଆଲ୍ଲାଦ୍ଦିନ୍‌କୁ ।

 

ଘଡ଼ିରେ ସାଢ଼େ ବାରଟା ବାଜିବା କ୍ଷଣି ତଳ ମହଲାରେ ସାମାନ୍ୟ ଖଡ଼ ଖାଡ଼ ଶଦ୍ଦ ଶୁଣାଗଲା । ମି: ଆଲବର୍ଟ ହାତ ମାରି ଦେଲେ ମି: ଚୌଧୁରୀଙ୍କ ଦେହରେ । ଦୁହେଁ କାନ୍ଥ ଦେହକୁ ଲାଗି ଠିଆ ହୋଇଗଲେ । ଅନ୍ଧାରରେ ମୋଟେ ଦେଖି ହେଉ ନ ଥିଲା ଦୁହିଙ୍କୁ । ତା’ପରେ ସିଡ଼ିରେ ଉଠିବାର ଶଦ୍ଦ ଧୀର, ଅଥଚ ଭାରି । ଗୋଟାଏ ପୈଶାଚିକ ବାତାବରଣ ଘୋଟି ଆସୁଥିଲା ଯେପରି-। କଳା ବୁର୍ଖା ଘୋଡ଼ାଇ ହୋଇ ପ୍ରକାଣ୍ଡ ମୂର୍ତ୍ତିଟା ଆଗେଇ ଆସୁଥିଲା । ଜୟମାଧବବାବୁଙ୍କ ଶୟନ କକ୍ଷର ଦୁଆରେ ଛିଡ଼ାହୋଇ ସେ ଥରେ ଚାରିଆଡ଼କୁ ସତର୍କ ଦୃଷ୍ଟିପାତ କରି ଭିତରକୁ ପଶିଗଲା ଝଡ଼ପରି ।

 

କକ୍ଷ ଭିତରେ ମୂଲ୍ୟବାନ୍‌ ପଲଙ୍କଉପରେ ମଶାରୀ ପଡ଼ିଥିଲା । କେହି ଜଣେ ତା’ଭିତରେ ଶୋଇଥିବାପରି ସ୍ପଷ୍ଟ ଦେଖାଯାଉଥାଏ । ପାଦ ଚିପି ଚିପି ପଲଙ୍କ ନିକଟକୁ ଆଗେଇ ଯାଉଛି ମୂର୍ତ୍ତିଟା । ହାତରେ ତା’ର ଛୁରାଟା ଚକ୍ ଚକ୍‌ କରିଉଠୁଥିଲା । ଦ୍ୱାର ପାଖରେ ଏ ପୈଶାଚିକ ଅଭିନୟ ଦେଖୁଥିଲେ ମି: ଆଲବର୍ଟ ଆଉ ମି: ଚୌଧୁରୀ ।

 

ଧୀରେ ଧୀରେ ମଶାରୀରର ଗୋଟିଏ ପାଖ ଟେକି ଦେଲା ମୂର୍ତ୍ତିଟା, ତା’ପରେ ସାମାନ୍ୟ ଝୁଙ୍କିପଡ଼ିଲା ପଲଙ୍କ ଉପରକୁ । ଛୁରା ସହିତ ହାତଟା ତା’ର ଦୃଢ଼ ଭାବରେ ଉଠୁଥିଲା ଉପରକୁ । କିନ୍ତୁ ସେଟା ଭୁଷିଦେବା ଆଗରୁ ସର୍ପାହତ ପରି ଚମକି ପଡ଼ିଲା ସେ । ‘ଏଁ–ଜୟମାଧବ କାହିଁ ? ନଜିର କ’ଣ ପ୍ରତାରଣା କଲା ?’ ରାଗରେ ବିଜୁଳିପରି ବୁଲିପଡ଼ିଲା ସେ । କିନ୍ତୁ ଦ୍ୱାର ଅବରୋଧକରି ଉଦ୍ୟତ–ପିସ୍ତଲ ତାରି ଆଡ଼କୁ ଲକ୍ଷ୍ୟକରି ଠିଆହୋଇଥିଲେ ଦୁଇଜଣ ।

 

‘‘ପ୍ରତାରୀତ ହୋଇଛ ଆଲ୍ଲାଦିନ୍‌, ନୁହେଁ ? ହଜାରେ ଟଙ୍କାର ମମତା ତୁମକୁ ଏ ଜଘନ୍ୟ କାମ କରବାକୁ ଯଥେଷ୍ଟ ପ୍ରେରଣା ଯୋଗାଇଥିଲା ନିଶ୍ଚୟ ! ଏବେ ଛୁରା ଖଣ୍ଡି ତଳେ ପକାଇ ଦେଲ ଦେଖି ।’’

 

ପିଞ୍ଜରାବଦ୍ଧ ବାଘପରି ରାଗରେ ଥରୁଥିଲା ଆଲ୍ଲାଦ୍ଦିନ୍‌ । କିନ୍ତୁ ନିରୁପାୟ ! ଆଗରେ ସୁଦକ୍ଷ ହାତରେ ଦୁଇଟା ପିସ୍ତଲ ନଳି ଟାକି ରହିଛି । ହାତ ମୁଠାଟା କୋହଳ ହୋଇ ଆସିଲା ତା’ର–ଶାଣିତ ଛୁରାଟା ଠଣ୍‌କରି ତଳେ ଖସିପଡ଼ିଲା । ଆଲ୍ଲାଦ୍ଦିନ୍‌ର ହାତ ଗୋଡ଼ରେ କଡ଼ିପକାଇ ଦେଲେ ମି: ଚୌଧୁରୀ, ରାତା ରାତି ଗୋପନ ଭାବରେ ଲାଲବଜାର ଥାନା ହାଜତରେ ସେ ହେଲା ବନ୍ଦୀ ।

Image

 

–ଦଶ–

 

ରାତି ଦୁଇଟା ହେବ, ହଠାତ୍‌ ରାଧାମାଧବବାବୁଙ୍କ ଘରେ ହୈ ଚୈ ଶୁଣାଗଲା । ସମୁଦାୟ ପ୍ରାସାଦଟା ବିଜୁଳିବତୀର ଆଲୋକରେ ଉଦ୍ଭାସିତ ହୋଇ ଉଠିଲା । ଚାକର ପୁଝାରୀଙ୍କ ଧାଁ ଧପଡ଼; ଖାନତଲାସୀ ପାଟି ଗୋଳରେ ଆଖ ପାଖରୁ ବହୁତ ଲୋକ ଜମିଗଲେ ବି ସେଠି । ଘଟଣା କ’ଣ, କେହି ଜାଣିପାରିଲେ ନାହିଁ । ଅଳ୍ପ ସମୟମଧ୍ୟରେ ଗୋଟାଏ ପୋଲିସ୍‍ ଭ୍ୟାନ୍‌ ଆସି ଫାଟକ ପାଖରେ ଅଟକିଲା । ତା’ ଭିତରୁ ଦଶଜଣ ସଶସ୍ତ୍ର ପୋଲିସ୍‍ କୁଦିପଡ଼ିଲେ ବାହାରକୁ । ସୋମନଙ୍କ ନେତୃତ୍ୱରେ ମି: ଆଲବର୍ଟ ।

ପୋଲିସ୍‍ମାନଙ୍କୁ ଘରର ଚତୁର୍ଦ୍ଦିଗରେ ସତର୍କ ପହରାଦେବାକୁ ହୁକୁମ ଦେଇ ଜୋତା ମଚ୍‌ ମଚ୍‌ କରି ଉପରମହଲାକୁ ଉଠିଗଲେ ମି: ଆଲବର୍ଟ । ପରେ ପରେ ଖବରଟା ବିଜୁଳିପରି ଖେଳିଗଲା, ‘‘ଜୟମାଧବବାବୁଙ୍କୁ କିଏ ଖୁନ୍‍ କରି ଦେଇଛି ।’’ ଏ ଚାଞ୍ଚଲ୍ୟକର ଖବର ଯେ ଶୁଣିଲା ସମବେଦନା ଜଣାଇ ପଦେ ଦୁଇପଦ ମନ୍ତବ୍ୟ ନ ଜଣାଇ ରହି ପାରିଲା ନାହିଁ । ବିଚାରା ଜୟମାଧବବାବୁ ! କେଡ଼େ ଭଲ ଲୋକ ?

ଉପରତାଲାର ଗୋଟିଏ କକ୍ଷର ଦରଜାରେ ଧୀର ଆଘାତ କଲେ ମି: ଆଲବର୍ଟ । ସଙ୍ଗେ ସଙ୍ଗେ ଦ୍ୱାର ଉନ୍ମୁକ୍ତ ହେଲା , ଆଉ ଆଲବର୍ଟ ଭିତରେ ପ୍ରବେଶ କଲାମାତ୍ରେ ରୁଦ୍ଧ ହେଲା । କକ୍ଷ ଭିତରେ ବସିଥିଲେ ଜୟମାଧବବାମୁ, ମି: ଚୌଧୁରୀ ଆଉ ମଞ୍ଜୁଳା ଦେବୀ । ମି: ଆଲବର୍ଟଙ୍କ ହାତକୁ ଧରିପକାଇ ଜୟମାଧବବାବୁ ବଡ଼ କୃତଜ୍ଞତା ଦେଖାଇ କହିଲେ–‘‘ଯାହାହେଉ, ଆଜି ଆପଣଙ୍କ ଦୟାରୁ ମୁଁ ଜୀବିତ । କି ଉପାୟରେ ଆପଣଙ୍କ ଋଣ ଶୁଝି ପାରିବି ଠିକ୍‌ କରିପାରୁନାହିଁ ।’’

ତାଙ୍କୁ ଆଉ ଅଧିକ କହିବାକୁ ନ ଦେଇ ମି: ଆଲବର୍ଟ କହିଲେ–ଥାଉ, ଥାଉ । ସେସବୁ କହି ମୋତେ ଲଜ୍ଜିତ କରନ୍ତୁ ନାହିଁ । ଆପଣଙ୍କର ଜୀବନ ରକ୍ଷକ ହେଲେ ମି: ଚୌଧୁରୀ । ସେ ଚେଷ୍ଟା କରିନଥିଲେ ମୁଁ କିଛି କରିପାରିନଥାନ୍ତି ।

ମି: ଚୌଧୁରୀ ଗମ୍ଭୀର ଭାବରେ କହିଲେ–‘‘ଆଉ ବୃଥା ବାକ୍ୟାଳାପରେ ସମୟ ନଷ୍ଟ କରିବାର ଅବସର ଏ ନୁହେଁ । ଭବିଷ୍ୟତ୍ କାର୍ଯ୍ୟ ସମ୍ବନ୍ଧରେ ଆମକୁ ଶୀଘ୍ର ପ୍ରସ୍ତୁତ ହେବାକୁ ପଡ଼ିବ-। କାଲି ହୁଏତ ମଞ୍ଜୁଳା ଦେବୀ ହରଣଚାଳ ହେବେ, ତା’ର କିଛି ଗୋଟାଏ ବନ୍ଦୋବସ୍ତ ତ କରିବାକୁ ହେବ ?

ମି: ଚୌଧୁରୀଙ୍କ କଥାରେ ସମସ୍ତେ ଚମକି ପଡ଼ିଲେ । ମଞ୍ଜୁଳା ଦେବୀଙ୍କର ମୁହଁ ଶୁଖି ଆସୁଥିଲା ।

ଚାରିଜଣଯାକ ଟେବୁଲ ଉପରକୁ ଝୁଙ୍କିପଡ଼ି ଆଲୋଚନା କରିବାକୁ ଲାଗିଲେ । ମି: ଚୌଧୁରୀ କହିଲେ–‘‘ଦେଖନ୍ତୁ, ମି: ଆଲବର୍ଟ । କାର୍ଯ୍ୟର ସଫଳତା ନିର୍ଭର କରେ ଆପଣଙ୍କ ଉପରେ ପୂରାପୂରି । ନୋହିଲେ ସମସ୍ତଙ୍କର ଜୀବନ ବିପନ୍ନହେବାର ପୂର୍ଣ୍ଣ ସମ୍ଭାବନା ରହିଛି ।’’ ଗମ୍ଭୀର ଭାବରେ ମୁଣ୍ଡ ହଲାଇ ନୀରବ ସମ୍ମତି ଜଣାଉଥିଲେ ମି: ଆଲବର୍ଟ । ମି: ଚୌଧୁରୀଙ୍କର କୌଶଳ ପୂର୍ଣ୍ଣ ପ୍ରସ୍ତାବରେ ମୁଡ଼ୁକି ମୁଡ଼ୁକି ହସୁଥିଲେ ଜୟମାଧବବାବୁ ।

ସକାଳ ହେବାକ୍ଷଣି ଖବରଟା ପ୍ରଚାରିତ ହୋଇଗଲା ଚାରିଆଡ଼େ । ଯେ ଏକଥା ଶୁଣିଲା ବିସ୍ମିତ ନ ହୋଇ ରହିପାରିଲା ନାହିଁ । ଏପରି ଅମାୟିକ ସରଳ ଲୋକ । ତା’ର ପୁଣି ଶତ୍ରୁ ଥାଇପାରିନ୍ତି ?

ଶବର ଶେଷ ଦର୍ଶନପାଇଁ ଶହ ଶହ ଦର୍ଶକ ବି ଜୟମାଧବବାବୁଙ୍କ ପ୍ରାସାଦ ଫାଟକ ଆଗରେ ରୁଣ୍ଡ କିନ୍ତୁ ନିରୁପାୟ । କଡ଼ା ପୋଲିସ୍‍ ପହରା । ପୋଲିସ୍‌ ସୁପରିଟେଣ୍ଡେଣ୍ଟ୍‍ଙ୍କ ବିଶେଷ ଅନୁମତି ବ୍ୟତୀତ କେହି ଫାଟକ ଅତିକ୍ରମ କରିପାରିବେ ନାହିଁ । ସକାଳ ପ୍ରାୟ ଆଠଟାବେଳକୁ ଗୋଟିଏ ପୋଲିସ୍‌ ଭ୍ୟାନ୍‌ ଅଟକିଲା ଫାଟକ ପାଖରେ । ଭିତରୁ ଓହ୍ଲାଇଲେ ମି: ଆଲବର୍ଟ ଆଉ ଚାରିଜଣ ପୋଲିସ୍‌ । ଜଗୁଆଳ ପୋଲିସ୍‌ ସାଲ୍ୟୁଟ୍‌ ବଜାଇ ଫାଟକ ଖୋଲିଦେଲା । ଭ୍ୟାନ୍‌ ସିଧା ପଶିଗଲା ଭିତରକୁ ସଦର ଦରଜା ପର୍ଯ୍ୟନ୍ତ । ପନ୍ଦରମିନିଟ୍‌ ମଧ୍ୟରେ ପୋଲସ୍ ଚାରିଜଣ ଶେଯସମେତ ଶବଟାକୁ ଟେକି ଭ୍ୟାନ୍‌ ନିକଟକୁ ଆଣିଲେ । ଶେଯର ଠାଏ ଠାଏ ରକ୍ତ ଲାଗିଥାଏ । ସେଟାକୁ ଗାଡ଼ି ଭିତରେ ଥୋଇବାକ୍ଷଣି ଗାଡ଼ି ଛୁଟି ଚାଲିଲା ଜେନେରାଳ ହସ୍‌ପିଟାଲ୍‍ ଉଦ୍ଦେଶ୍ୟରେ-

ଶବଟାକୁ ପୋଷ୍ଟମର୍ଟମ୍‌ ତ କରିବାକୁ ହେବ !!

ଟାଉନ ହଲ୍‌ ଲୋକାରଣ୍ୟ । ଜୟମାଧବଙ୍କ ମୃତ୍ୟୁରେ ବିରାଟ ଶୋକସଭା । ବକ୍ତା ନଗରର ବିଶିଷ୍ଟ ବ୍ୟକ୍ତିମାନେ । ଜୟମାଧବବାବୁଙ୍କ ପରି ସରଳ, ଅମାୟିକ, ମିଷ୍ଟଭାଷୀ, ସାଧୁବ୍ୟବସାୟୀ, ପ୍ରବୀଣ ଶିକାରୀ ଓ ବିଶିଷ୍ଟ ଦାତାଙ୍କ ବିୟୋଗରେ କିଏ ବା ଦୁଃଖିତ ନ ହେବ ? ତାଙ୍କ ମୃତ୍ୟୁପରେ ଶୋକ ପ୍ରକାଶକରି ଆଜି ସହରର ବଡ଼ ବଡ଼ ଅଳଙ୍କାର ପ୍ରତିଷ୍ଠାନମାନ ବନ୍ଦ ରହିଛି । ତାଙ୍କର ଅଶେଷ ଗୁଣର ବର୍ଣ୍ଣନା କରି ଜଣେ ଜଣେ ବକ୍ତା କହି ଚାଲିଛନ୍ତି । ବାସ୍ତବିକ ଆଜି ମହାନଗରୀ ତା’ର ଜଣେ ମହାନ୍‌ ସନ୍ତାନକୁ ହରାଇଛି ।

ଏଣେ ନିଜର ମାୟାଜାଲ ବିଛାଇବାରେ ବ୍ୟସ୍ତଥିଲେ ସେଠ୍‌ ଦୟାଲରାମ । ଜୟମାଧବବାବୁଙ୍କ ବୈଠକ ଖାନାରେ ବସି ମଞ୍ଜୁଳା ଦେବୀଙ୍କ ପାଖରେ ବାରମ୍ବାର କାନ୍ଦି ପକାଉଥିଲେ ସେ । ‘‘ବାସ୍ତବିକ ଯାହା କହନ୍ତୁ ଆପଣ ! ଏ ଦୁର୍ଘଟଣାରେ ମୁଁ ସମସ୍ତଙ୍କଠାରୁ ବେଶୀ ଦୁଃଖିତ । ଜୟମାଧବବାବୁ ଦେବ ତୁଲ୍ୟ ପୁରୁଷ । ତାଙ୍କରି କୃପାରୁ ମୁଁ ଆଜି ବ୍ୟବସାୟୀ ମହଲରେ ବଡ଼ଲୋକ । ତାଙ୍କପରି ଦୟାଳୁ ଲୋକକୁ ଯିଏ ଖୁନ୍‌କଲା ଯଦି ଦେଖନ୍ତି ଥରେ ସେ ପାପିକୁ.....’’ ଦାନ୍ତ କାମୁଡ଼ି, ହାତମୁଠା କରି ଉତ୍ତେଜନାରେ ଉଠି ପଡ଼ିଲେ ସେଠ୍‍ ଦୟାଲରାମ ।

ଏ ଅଭିନୟ ଦେଖି ହସର ତରଙ୍ଗ ଉଠୁଥିଲା ମଞ୍ଜୁଳା ଦେବୀଙ୍କ ପେଟରୁ । ମନର ଭାବ ଗୋପନ ରଖି ମୁହଁ ଶୁଖାଇ ସେ କହିଲେ–‘‘ଆପଣ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ସେଠ୍‌ଜୀ । ଯାହାତ ହେବାର ହୋଇଛି । ମୁଁ ଜାଣିପାରୁଛି, ପ୍ରକୃତରେ ମୋ ଦୁଃଖରେ ଆପଣ ବଡ଼ ଦୁଃଖୀ । ମାତ୍ର ଉପାୟ କ’ଣ ? ମୁଁ ବର୍ତ୍ତମାନ ଗୋଟିଏ କଥା ଭାବୁଛି । ଏ ବ୍ୟବସାୟ, ଘରଦ୍ୱାର ଏକା କିପରି ସମ୍ଭାଳିବି, ଆଜି ସକାଳେ ମୋର ମାମୁଁ ବି ଆସି ପହଞ୍ଚିଛନ୍ତି । ତାଙ୍କର ଜିଦ୍‌–ମୋତେ ଏଠାରୁ ନେଇଯିବେ, ମୋର ବି କିଛି ଆପତ୍ତି ନାହିଁ ସେଥିରେ ।’’

ଏ କଥାରେ ସେଠ୍‌ ଦୟାଲ ଚମକି ପଡ଼ିଲେ ଯେପରି । ‘‘କେଉଁଠିକି ନେଇଯିବେ ଆପଣଙ୍କୁ ?’’ ହୃତ୍‌ପିଣ୍ଡର ସ୍ପନ୍ଦନ ବଢ଼ି ଉଠିଥିଲା ତାଙ୍କର ।

‘‘ଏଇ ଆପଣଙ୍କ ଓଡ଼ିଶାର ବରହମ୍‌ପୁର ! ତାଙ୍କ ଘର ସେଇଠି । ହୁଏତ ଆଜି ମେଲରେ ଆମେ ଯାଉଛୁ । ସରଳ ଭାବରେ ଏତକ କହି ନୀରବ ହେଲେ ମଞ୍ଜୁଳା ଦେବୀ ।

‘‘ଆରେ; ତେବେ ତ ଖୁବ୍‌ ଭଲ ହେବ । ମୁଁ ବି ଆଜି ମେଲରେ କଟକ ଫେରିଯିବି । ତେବେ ସାଥି ହୋଇ ଯିବା, ଭଲ ହେବ । ହଁ ଆପଣଙ୍କ ମାମୁଁଙ୍କ ସାଙ୍ଗରେ ଟିକେ ସାକ୍ଷାତ ହୋଇଥିଲେ ନିଜକୁ ବଡ଼ ଭାଗ୍ୟବାନ ମନେ କରିଥାନ୍ତି ।’’ ଆନନ୍ଦ ଆଧିକ୍ୟରେ କଣ୍ଠସ୍ୱର ତାଙ୍କର ଥରି ଉଠୁଥିଲା ।

‘‘ତେବେ ମୁଁ ଡାକୁଛି’’ କହି ଭିତରକୁ ଉଠିଗଲେ ମଞ୍ଜୁଳା ଦେବୀ । କ୍ରୂର କଟାକ୍ଷ ହାଣି ଫିକ୍‌କରି ହସିଦେଲେ ସେଠ୍‌ ଦୟାଲରାମ, ମଞ୍ଜୁଳା ଦେବୀଙ୍କ ଗଲା ବାଟକୁ ଚାହିଁ ।

ଅଳ୍ପ ସମୟ ମଧ୍ୟରେ କେହି ଆସିବାର ଶଦ୍ଦ ଶୁଣାଗଲା । ନିଜକୁ ପ୍ରକୃତିସ୍ଥ କରିନେଲେ ସେଠ୍‌ ଦୟାଲରାମ । ଘର ଭିତରକୁ ପଶି ଆସିଲେ ଜଣେ ଭଦ୍ରଲୋକ, ଆଉ ମଞ୍ଜୁଳା ଦେବୀ । ଭଦ୍ରଲୋକଙ୍କ ଦେହର ବର୍ଣ୍ଣ ତକ୍‌ ତକ୍ ଗୋରା–ଡେଙ୍ଗା, ପତଳା ଚେହେରା । ଆଖିରେ ସୁନା ଫ୍ରେମ୍‌ର ଚଷମା, ନାକତଳକୁ ସରୁ ନିଶହଳକ ବେଶ୍‌ ମାନୁଥାଏ । ବୟସ ଆନ୍ଦାଜ୍‌ ଚାଳିଶ ପାଖାପାଖି । ଦେଖିଲେ ସମ୍ଭ୍ରାନ୍ତ ଲୋକପରି ମନେ ହୁଏ ।

ପାଖକୁ ଆସି ହାତ ଯୋଡ଼ି ନମସ୍କାର କଲେ ଭଦ୍ରଲୋକ । ‘‘ମୁଁ ଆପଣଙ୍କ ପରିଚୟ ମଞ୍ଜୁଠାରୁ ପାଇସାରିଛି, ମହାଶୟ ! ଆମର ସହଯାତ୍ରୀ ହେଉଛନ୍ତି ଶୁଣି ମୁଁ ଅତି ଆନନ୍ଦିତ । ଏକୁଟିଆ ଯିବାକୁ ମୁଁ ବି ଟିକେ ଭୟ କରୁଥିଲି । ଯାହା ହେଉ; ଈଶ୍ୱରଙ୍କ ଦୟାରୁ ଆପଣଙ୍କ ପରି ବିଶିଷ୍ଟ ଲୋକ ଯେତେବେଳେ ସହଯାତ୍ରୀ–’’

‘‘ଆହା ! ଆଉ ଲଜ୍ଜା ଦିଅନ୍ତୁ ନାହିଁ । ଆପଣମାନେ ହେଲେ ସାକ୍ଷାତ୍‍ ଈଶ୍ୱରଙ୍କ ଅବତାର-! ଆମେ ବା କି ଛାର । ଆଚ୍ଛା; ମଞ୍ଜୁଳା ଦେବୀଙ୍କୁ ଆପଣ ନେଇଗଲେ କ’ଣ ବିଶେଷ ଲାଭ ହେବ ବୋଲି ଭାବୁଛନ୍ତି ?’’ ଅତି ଭଦ୍ରତା ଦେଖାଇବାକୁ ଯାଉଥିଲେ ସେଠ୍‌ଜୀ ।

‘‘ନା, ଆଉ ଲାଭ କ’ଣ ? ତେବେ ମଞ୍ଜୁର କିଛି ବିପଦ ମୁଁ ଆଶଙ୍କା କରୁଛି, ପର ପର ରାଧାମାଧବ ଆଉ ଜୟମାଧବବାବୁଙ୍କ ଖୁନ୍‌ । ପରପାଳି ହୁଏତ ମଞ୍ଜୁର ପଡ଼ିପାରେ । ତା’ର ନିରାପତ୍ତା ଦୃଷ୍ଟିରୁ ଆଉ ମାନସିକ ପରିବର୍ତ୍ତନପାଇଁ ତାକୁ ଏଠୁ ନେଇଯିବାକୁ ମୁଁ ଶେଷ ସିଦ୍ଧାନ୍ତ କଲି-। ରାଧାମାଧବବାବୁଙ୍କ ମୃତ୍ୟୁରେ ଭାଣିଜୀକୁ ସାନ୍ତ୍ୱନା ଦେବି ବୋଲି ଧାଇଁ ଆସିଥିଲି । କିନ୍ତୁ କାଲିର ପୁଣି ଏ ଦୁର୍ଘଟଣା; ଯାହାହେଉ, ଏ ପ୍ରେତପୁରୀରେ ମୁଁ ମଞ୍ଜୁକୁ କଦାପି ରଖାଇ ଦେବି ନାହିଁ-। ହଁ, ମାଫ୍‌ କରିବେ । ଯିବାର ଆୟୋଜନ ପୁଣି କରିବାକୁ ହେବ ’’–କହି ଉଠିଲେ ଭଦ୍ରଲୋକ । ପଛେ ପଛେ ମଞ୍ଜୁଳା ଦେବୀ ବି ।

‘ଆଚ୍ଛା, ଆଚ୍ଛା’ କହି ଦୁଇ ହାତ ଯୋଡ଼ି ଉଠିଲେ ବି ସେଠ୍‌ ଦୟାଲ,–‘‘ହଁ, ମୁଁ ଆପଣଙ୍କ ନାମଟା ଜାଣି ପାରିଲି ନାହିଁ ।’’

ହସୁ ହସୁ ଭଦ୍ରଲୋକ କହିଲେ–‘‘ମୋର ନାମ ଶ୍ରୀକାନ୍ତ ମଜୁମଦାର’’ । ବୁଲିପଡ଼ି ଚାଲିଗଲେ ସେ ।

ଶୂନ୍ୟ ବୈଠକଖାନାରେ ଭ୍ରୂଲତା ଟେକି ହସି ଉଠିଲେ ସେଠ୍‌ ଦୟାଲରାମ–‘‘ହୁଃ ! ଶ୍ରୀକାନ୍ତ ମଜୁମଦାର’’ । ଝଡ଼ ପରି ବାହାରିଲେ ବାହାରକୁ । ତାଙ୍କ ଜୋତାର ଠକ୍‌ ଠକ୍‌ ଆବାଜ ମିଳାଇ ଯାଉଥିଲା ନୀରବତାର ରାଜୁତି ଭିତରେ ।

Image

 

–ଏଗାର–

 

ଝଡ଼ ପରି ଛୁଟି ଚାଲିଛି ମାଡ୍ରାସ ମେଲ୍‍ ।

 

ଗୋଟିଏ ଫାଷ୍ଟକ୍ଳାସ୍‌ କମ୍ପାଟମେଣ୍ଟରେ ବସିଥିଲେ ସେଠ୍‌ ଦୟାଲରାମ, ମଞ୍ଜୁଳା ଦେବୀ, ଆଉ ଶ୍ରୀକାନ୍ତ ମଜୁମଦାର । ଖାପ୍‌ଛଡ଼ା ଆଳାପ ମଧ୍ୟରେ ରାଧାମାଧବବାବୁ ଓ ଜୟମାଧବବାବୁଙ୍କ ପ୍ରଶଂସା କରିବାରେ ଶତମୁଖ ହୋଇ ଉଠିଥିଲେ ସେଠ୍‌ ଦୟାଳରାମ । ମନରେ ଅସରନ୍ତି ଭାବନା ନେଇ ଭାବୁଥିଲେ ଶ୍ରୀକାନ୍ତ ମଜୁମଦାର–‘‘କେଡ଼େ ସାଂଘାତିକ ଏ ଲୋକଟା ?’’

 

ଗାଡ଼ି କପିଳାସ ରୋଡ଼ ଷ୍ଟେସନ ଅତିକ୍ରମ କରିବା ପରଠାରୁ କେଜାଣି କାହିଁକି ବ୍ୟସ୍ତ ହୋଇ ଉଠୁଥିଲେ ସେଠ୍‌ ଦୟାଲରାମ । ଆସନ ଛାଡ଼ି ଉଠି ଗଲେ ସେ ଦ୍ୱାର ପାଖକୁ; ଆଗରେ ନିବିଡ଼ ଜଙ୍ଗଲ । ପଛକୁ ପାଚେରୀ ପରି ଲମ୍ବି ଯାଇଛି ମହାବିନାୟକ ପର୍ବତଶ୍ରେଣୀ । ସେଠ୍‌ ଦୟାଲରାମଙ୍କ ମନରେ ନିରାଶାର ଛାଇ ଘୋଟି ଆସୁଥିଲା । ଆଗରେ ନିର୍ଗୁଣ୍ଡି ଷ୍ଟେସନର ଆଲୋକମାଳା ମିଞ୍ଜି ମିଞ୍ଜି ହୋଇ ଦିଶିଯାଉଛି । ‘ଏମାନେ ତେବେ କାହାନ୍ତି ?’ ଅତି ସତର୍କରେ ପକେଟରୁ ଟର୍ଚ୍ଚ କାଢ଼ି ବଣଆଡ଼କୁ ଆଲୋକ ଦେଖାଇ କ’ଣ ସଙ୍କେତ କଲେ । ଠିକ୍‌ ସେତିକିବେଳେ ଖୁବ୍ ନିକଟରୁ ନୀଳବର୍ଣ୍ଣର ଆଲୋକଟିଏ ଦପ୍‌ ଦପ୍ କରି ତିନିଥର ଜଳି ଉଠି ଲିଭିଗଲା ।

 

ହଠାତ୍‌ ଦପ୍‌କରି ଲିଭିଗଲା କମ୍ପାଟମେଣ୍ଟର ବତୀଗୁଡ଼ିକ । ସଙ୍ଗେ ସଙ୍ଗେ ବିକଟ ଚିତ୍କାର କଲି ଟ୍ରେନ୍‌ଟା ବି ବନ୍ଦ ହୋଇଗଲା । ସର୍ବାଙ୍ଗ କଳା ପୋଷାକରେ ଆବୃତ ହୋଇ ଡବା ଭିତରକୁ ପଶିଆସିଲେ କେତେଜଣ । ପିସ୍ତଲର ଗୁଡ଼ୁମ୍ ଗୁଡ଼ୁମ୍ ଆବାଜରେ ମଞ୍ଜୁଳା ଦେବୀ ଆଉ ଶ୍ରୀକାନ୍ତବାବୁଙ୍କ ଆର୍ତ୍ତଚିତ୍କାର ମିଳାଇ ଯାଉଥିଲା । ଏସବୁ ରହସ୍ୟ ଦେଖି ଆନନ୍ଦରେ ଅଧିର ହୋଇପଡ଼ୁଥିଲେ ଜଣେ । ଖଲାସୀ ପୋଷାକଧାରୀ ମି: ଚୌଧୁରୀ ସେ ।

 

ଅଳ୍ପ କେତେ ସେକେଣ୍ଡ ମଧ୍ୟରେ କ’ଣ ଘଟିଗଲା, ତାହା କୌଣସି ଯାତ୍ରୀ କଳ୍ପନା ସୁଦ୍ଧା କରିପାରିଲେ ନାହିଁ । ପିସ୍ତଲ ଆବାଜ ଶୁଣି କୁଲି, ଖଲାସୀ, ଗାର୍ଡ଼ ପ୍ରଭୃତି ଘଟଣାସ୍ଥଳକୁ ଧାଇଁ ଆସିଲେ; କେତେଜଣ ସାହସୀ ଯାତ୍ରୀ ବି । ଡବାଟି ପୂରା ଅନ୍ଧକାର; ଲାଇନ କଟାଯାଇଛି । ସଙ୍ଗେ ସଙ୍ଗେ ତା’ର ସଂଯୋଗ କରାଯାଇ ଡବାଟି ଆଲୋକିତ କରାଗଲା । ଗାର୍ଡ଼ ବଡ଼ ଦମ୍ଭର ସହିତ ଭିତରକୁ ଯାଇ ଦେଖିଲେ ଜଣେ କିଏ ଅଚେତ ଅବସ୍ଥାରେ ପଡ଼ିରହିଛି । ଡବା ଭିତରେ ଆଉ କିଛି ନାହିଁ ।

 

ଖବର ପାଇ ଧାଇଁ ଆସିଲେ ଷ୍ଟେସନରୁ ପୋଲିସ୍‌ କେତେଜଣ । ଡବାଟିରେ କଡ଼ା ପହରା ରଖାଯାଇ ଗାଡ଼ି ଛାଡ଼ି ଦିଆଗଲା ।

 

କଟକ ଷ୍ଟେସନରେ ଗାଡ଼ି ଅଟକିବାକ୍ଷଣି କେତେଜଣ ପୋଲିସ୍‌ଙ୍କ ସାଥିରେ ପ୍ଳାଟ୍‌ଫର୍ମ ଭିତରକୁ ପଶିଆସିଲେ ଏସ୍‌.ପି. ସାହେବ । କମ୍ପାଟମେଣ୍ଟଟା ଥରେ ଭଲ ଭାବରେ ପରୀକ୍ଷା କରିନେଇ ଅଚେତ ହୋଇ ପଡ଼ିଥିବା ଭଦ୍ରଲୋକଙ୍କୁ ଦେଖି କହି ପକାଇଲେ–‘‘ଓଃ, ଏତ ଆମ ସେଠ୍‌ ଦୟାଲରାମ । ଆଚ୍ଛା, ଆମ୍ବୁଲାନ୍‌ସ୍‌ ଡକାଅ । ବିଚାରା ଡକାୟତିର ଶିକାର ହୋଇଛନ୍ତି, କିନ୍ତୁ ଖୁନ୍‌ର ଶିକାର ହୋଇନାହାନ୍ତି ।’’

 

ଆମ୍ବୁଲାନ୍‌ସରେ ସଙ୍ଗେ ସଙ୍ଗ ବଡ଼ଡାକ୍ତରଖାନା ନିଆଗଲା ସେଠ୍‌ ଦୟାଲରାମଙ୍କୁ । ‘‘ଖୁବ୍‌ ଲଘୁ କ୍ଳୋରୋଫର୍ମ ପ୍ରୟୋଗ କରାଯାଇଛି । ଅଳ୍ପ ସମୟ ମଧ୍ୟରେ ହୋସ୍‌ ଆସିଯିବ ।’’ –ଡାକ୍ତରଙ୍କ ମନ୍ତବ୍ୟ ଶୁଣି କଡ଼ା ପହରା ରଖାଇ କୋଠିକୁ ଫେରିଆସିଲେ ସୁପରିଟେଣ୍ଡେଣ୍ଟ୍‌ ସାହେବ-

 

ତାଙ୍କୁ ଅପେକ୍ଷା କରି ପ୍ରାଇଭେଟ୍‌ ରୁମରେ ବସିରହିଥିଲେ ମି: ଚୌଧୁରୀ ଆଉ ଶରତ୍‌ । ଏସ୍‌.ପି. ଭିତରକୁ ପଶି ଆସିବାକ୍ଷଣି ଉଭୟ ଠିଆ ହୋଇପଡ଼ି ଅଭିବାଦନ ଜଣାଇଲେ । ମି: ଚୌଧୁରୀଙ୍କ ସହିତ କର ମର୍ଦ୍ଦନ କରୁ କରୁ ଏସ୍‌.ପି. କହିଲେ–‘‘ମୁଁ ଆପଣଙ୍କଠାରୁ ବହୁତ ଆଶାଜନକ ଖବର ପାଇବି ବୋଲି ଆଶା କରୁଛି ମି: ଚୌଧୁରୀ ।’’

 

‘ନିଶ୍ଚୟ ସାର୍ !’ ହସୁ ହସୁ କହିଲେ ମି: ଚୌଧୁରୀ । ବାହାରେ ପ୍ରହରୀକୁ ସତର୍କ ରହିବାକୁ ହୁକୁମ୍‌ ଦେଇ ଆଲୋଚନା ଆରମ୍ଭ କଲେ ତିନିଜଣ । ମି: ଚୌଧୁରୀଙ୍କ କଥାରେ ଅଭିଭୂତ ହୋଇପଡ଼ୁଥିଲେ ଏସ୍‌.ପି. । ‘ଆପଣଙ୍କ କର୍ମ ତତ୍ପରତା ଆଉ କୌଶଳକୁ ମୁଁ ଅଭିନନ୍ଦନ ଜଣାଉଛି’ ପୁଣି ଥରେ ଦୃଢ଼ କରମର୍ଦ୍ଦନ କରୁ କରୁ କହିଲେ ଏସ୍‌.ପି. । ‘‘ଆଚ୍ଛା; ଶ୍ରୀକାନ୍ତବାବୁ; ସେ ବିଚାରା ତା’.....’’

 

ହସି ଉଠିଲେ ମି: ଚୌଧୁରୀ । ‘ସେ ପରା ମଞ୍ଜୁଳାର ମାମୁଁ’ ତା’ପରେ ଏସ୍‌.ପି.ଙ୍କ ଆଡ଼କୁ ମୁଣ୍ଡ ଝୁଙ୍କାଇ ଫୁସ୍‌ ଫୁସ୍‌ କରି କହିଲେ–‘‘ସେ ମି: ଆଲବର୍ଟ ।’’ ଏସ୍‌.ପି.ଙ୍କ ଭ୍ରୂଲତା ଟେକି ହୋଇଗଲା ବିସ୍ମୟରେ–‘‘ଏଁ ! ମି: ଆଲବର୍ଟ । ଆପଣଙ୍କୁ ଆଉ ପାରି ହେବନି ଦେଖୁଛି ।’’

 

‘‘ନୋହିଲେ କାର୍ଯ୍ୟୋଦ୍ଧାର ଯେ ଅସମ୍ଭବ ହୋଇପଡ଼ିବ ସାର୍‌ ! ଆଲବର୍ଟ ସବୁ ଅଭିନୟ ଠିକ୍‌ କରି ପାରିବେ, ଆଉ ଯଥା ସମୟରେ ଖବର ଯୋଗାଇ ପାରିବେ, ଏ ବିଶ୍ୱାସ ମୋର ତାଙ୍କ ଉପରେ ଅଛି । ହଁ; ମୁଁ କ’ଣ କହୁଥିଲି କି, ସେଠ୍‌ ଦୟାଲରାମ ଉପରେ କଡ଼ା ଗୁପ୍ତ ନଜର ରଖିବାପାଇଁ ।’’

 

‘‘ସେ ବିଷୟରେ ଆପଣ ନିଶ୍ଚିନ୍ତ ରହନ୍ତୁ । ମୁଁ ତା’ର ବନ୍ଦୋବସ୍ତ କରିବି । ଆପଣ ବର୍ତ୍ତମାନ ବିଶ୍ରାମ କରନ୍ତୁ । କାଲି ସକାଳୁ ସେଠ୍‍ ଦୟାଲରାମଠାରୁ ଜମାନବନ୍ଦୀ ନେବାକୁ ହେବ । ଆପଣ ଆସିବେ ନିଶ୍ଚୟ’’ କହିଲେ ଏସ୍‌.ପି. ।

 

‘‘ନିଶ୍ଚୟ ସାର୍ ।’’ ବିଦାୟ ଅଭିବାଦନ ଜଣାଇଲେ ମି: ଚୌଧୁରୀ ।

 

ପୋଲିସ୍‌ ଏସ୍‌.ପି.ଙ୍କ ଆଗରେ ଜମାନବନ୍ଦୀ ଦେଉଥିଲେ ସେଠ୍‌ ଦୟାଲରାମ । ମି: ଚୌଧୁରୀ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ–

 

‘‘ଆଚ୍ଛା କହିପାରିବେ, ଆପଣଙ୍କ ବ୍ୟତୀତ ସେ କମ୍ପାଟମେଣ୍ଟରେ ଆଉ କେହି ଲୋକ ଥିଲେ କି ?’’

 

‘‘ହଁ; ହାଓଡ଼ାଠାରୁ ଜଣେ ଭଦ୍ରଲୋକ ସେ ଡବାରେ ଉଠିଥିଲେ; କିନ୍ତୁ ଖଡ଼ଗପୁରଠାରେ ଓହ୍ଲାଇ ଯାଇଥିଲେ ।’’

 

‘‘ଗାଡ଼ି ଚାଲୁଥିବା ଅବସ୍ଥାରେ ଆପଣ ଆପଣଙ୍କ କମ୍ପାଟମେଣ୍ଟ ବା ତା’ ନିକଟରେ କିଛି ଅସ୍ୱାଭାବିକ ଶଦ୍ଦ ଶୁଣି ପାରିଥିଲେ କି ?’’

 

‘‘ନା, ସେମିତି କିଛି ଶୁଣିଥିଲି ବୋଲି ମନେ ହେଉ ନାହିଁ । ତେବେ ଆଲୋକ ଲିଭିବା ସଙ୍ଗେ ସଙ୍ଗେ ପିସ୍ତଲର ଶଦ୍ଦ ଡବା ଭିତରେ ହୋଇଥିଲା ।’’

 

‘‘ଜିନିଷପତ୍ର କ’ଣ ଥିଲା ଆପଣଙ୍କର ।’’

 

‘‘ଖାଲି ଖଣ୍ଡିଏ ହ୍ୟାଣ୍ଡବ୍ୟାଗ୍‌ । ତା’ଭିତରେ ଥିଲା ନଗଦ ପନ୍ଦର ହଜାର ଟଙ୍କା ।’’

 

‘‘ସେ ନୋଟର ନମ୍ବର ଅଛି କି ?’’

 

‘‘ନା; ନମ୍ବର ମୁଁ ରଖିନାହିଁ ।’’

 

‘‘କାହିଁକି ?’’

 

‘‘ସେଗୁଡ଼ିକ କାରବାରୀ ଟଙ୍କା । ତା’ପରେ ଶହେଠାରୁ ଟଙ୍କାଳିଆ ପର୍ଯ୍ୟନ୍ତ ନୋଟ ସେଥିରେ ଥିଲା । ଏତେଗୁଡ଼ାଏ ନମ୍ବର ମୁଁ ରଖିପାରି ନାହିଁ ।’’

 

‘‘ଆଚ୍ଛା; ଏତେଗୁଡ଼ାଏ ଟଙ୍କା ଆପଣ ଆଣିଥିଲେ କେଉଁଠୁ ?’’

 

‘‘ମୁଁ ଆଣି ନ ଥିଲି । ନେଇ ଯାଇଥିଲି ସୁନା ଖରିଦ କରିବାକୁ । କିନ୍ତୁ ସୁନା ବଜାର ଚଢ଼ା ଥିବାରୁ ଜିନିଷ ନ କିଣି ଟଙ୍କା ଧରି ଫେରୁଥିଲି ।’’

 

‘‘ଆଚ୍ଛା, କମ୍ପାଟମେଣ୍ଟରେ ଆଲୋକ ଲିଭିବା ପରଠାରୁ ଘଟଣା ସବୁ କ’ଣ ଘଟିଲା କହନ୍ତୁ ତ ।’’

 

‘‘ଆଲୋକ ଲିଭିବା ସଙ୍ଗେ ସଙ୍ଗେ ଦୁଇଜଣ ଲୋକ ଡବା ଭିତରକୁ ପଶି ଆସିଲେ । ସେମାନେ ପିସ୍ତଲ ଆବାଜ କରି ମୋର ନାକ ପାଖରେ ରୁମାଲ ମାଡ଼ି ଧରିଲେ । ତା’ପରେ କ’ଣ ହେଲା ମୁଁ ଜାଣି ନାହିଁ ।’’

 

‘‘ସେମାନେ ଦୁଇଜଣ ବୋଲି ଆପଣ ଜାଣିଲେ କିମିତି ?’’

 

‘‘ମୁଁ ଦୁଇଜଣଙ୍କର ଉପସ୍ଥିତି ଅନୁଭବ କରିପାରିଥିଲି ।’’

 

‘‘ଗାଡ଼ି ବନ୍ଦ ହେବା ଆପଣଙ୍କର ସ୍ମରଣ ଅଛି ?’’

 

‘‘ନା, ମୁଁ ସେତେବେଳକୁ ଅଜ୍ଞାନ ହୋଇଯାଇଥିଲି ।’’

 

‘‘ଆଚ୍ଛା ସେଠ୍‌ଜୀ ! ଆପଣଙ୍କର ଏମିତି କେହି ଶତ୍ରୁ ଅଛନ୍ତି, ଯାହାକୁ କି ଆପଣ ସନ୍ଦେହ କରନ୍ତି ?’’

 

ତଳ ଉପର ବହୁତ ଭାବି କହିଲେ ସେଠ୍‌–‘‘ନାଁ, ମୋର ସେମିତି କେହି ଶତ୍ରୁ ନାହାନ୍ତି । ମୋର ତ କାହାରି ପ୍ରତି ଅସଦ୍‌ଭାବ ନାହିଁ । ଆପେ ଭଲ ତ ଦୁନିଆଁ ଭଲ; ଏ ହେଲା ମୋର ନୀତି-।’’

 

‘‘ବେଶ୍‌, ବେଶ୍‌ ! ଆପଣ ଏବେ ଯାଇପାରନ୍ତି । ଦରକାର ହେଲେ ପୁଣି ଆପଣଙ୍କ ସାହାଯ୍ୟ ଲୋଡ଼ିବୁ ।’’

 

‘‘ନିଶ୍ଚୟ, ନିଶ୍ଚୟ ! କିନ୍ତୁ ଆସାମୀକୁ ଟିକେ ଚେଷ୍ଟା କରି ଧରନ୍ତୁ ଆଜ୍ଞା; ନହେଲେ ଆମେ ଆଉ ସମାଜରେ ତିଷ୍ଠି ପାରିବୁ ନାହିଁ । ଦେଖୁଛନ୍ତି ଏ ଯେଉଁ ଲୀଳା ଲାଗିଲାଣି, ଘରୁ ବାହାରକୁ ଗୋଡ଼ କାଢ଼ିବାକୁ ଡର ଲାଗୁଛି ।’’

 

‘‘ଆମେ ଚେଷ୍ଟା କରୁଛୁ ସେଠ୍‌ଜୀ । ଆପଣମାନେ ସହଯୋଗ କରନ୍ତୁ ।’’

 

‘‘ନିଶ୍ଚୟ, ନିଶ୍ଚୟ !’’ କହି ବାହାରକୁ ଚାଲି ଯାଉଥିଲେ ସେଠ୍‌ ଦୟାଲରାମ ।

 

ତାଙ୍କ ଯିବା ବାଟକୁ ଚାହିଁ ମୁଡ଼ୁକି ହସା ଦେଉଥିଲେ ମି: ଚୌଧୁରୀ ଆଉ ଏସ୍‌.ପି. ସାହେବ ।

Image

 

–ବାର–

 

‘ଚଳନ୍ତା ଟ୍ରେନରେ ଡକାୟତି ?’

 

ଗତ କାଲି ମାନ୍ଦ୍ରାଜମେଲ୍‌ ଗାଡ଼ି ନିର୍ଗୁଣ୍ଡି ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଦଳେ ସଶସ୍ତ୍ର ଡକାୟତ ଗାଡ଼ି ଅଟକାଇ ସେଠ୍‌ ଦୟାଲରାମ ନାମକ କଟକର ଜଣେ ବିଖ୍ୟାତ ବ୍ୟବସାୟୀଙ୍କୁ ଆକ୍ରମଣ କରି ପ୍ରାୟ ପନ୍ଦରହଜାର ଟଙ୍କା ଲୁଟି ନେଇଛନ୍ତି । ଭଦ୍ରଲୋକଙ୍କୁ କ୍ଳୋରୋଫର୍ମ ଦ୍ୱାରା ଅଚେତ କରାଯାଇଥିଲା ଓ ଫାଙ୍କା ପିସ୍ତଲ ଆବାଜରେ ଯାତ୍ରୀମାନଙ୍କୁ ଆତଙ୍କିତ କରି ଦୁର୍ବୃତ୍ତମାନେ କାମ ହାସଲ କରିଛନ୍ତି । କଟକ ବଡ଼ ଡାକ୍ତରଖାନାରେ ଭଦ୍ରଲୋକଙ୍କୁ ଚିକିତ୍ସା କରିବା ପରେ ଆଜି ସେ ସୁସ୍ଥ ଅଛନ୍ତି ବୋଲି ନିଜ ସମ୍ବାଦଦାତା ଜଣାଇଛନ୍ତି ।

 

ଏହି ସପ୍ତାହରେ ଠିକ୍‌ ପୂର୍ବୋକ୍ତ ସ୍ଥାନରେ ଚେନ୍‌ ଟଣାଯାଇଥିଲା ଓ ରାଧାମାଧବ ବୋଷ ନାମକ ଜଣେ ବିଖ୍ୟାତ ବ୍ୟବସାୟୀଙ୍କୁ ମୃତ ଅବସ୍ଥାରେ ଗୋଟିଏ ପ୍ରଥମ ଶ୍ରଣୀ ଡବାରୁ ଉଦ୍ଧାର କରାଯାଇଥିଲା । ବିଖ୍ୟାତ ଗୋଇନ୍ଦା ମି: ଚୌଧୁରୀ ଅନୁସନ୍ଧାନ କରୁଛନ୍ତି । ଏ ସମ୍ପର୍କରେ ଆଉ ଏକ ସମ୍ବାଦ ମିଳିଛି ଯେ, ରାଧାମାଧବ ବୋଷଙ୍କ ଭାଇ ଜୟମାଧବଙ୍କୁ ଦୁଇଦିନ ତଳେ ତାଙ୍କ ବାସଭବନରେ କେହି ହତ୍ୟା କରିଛି । ରାଧାମାଧବଙ୍କ କନ୍ୟା ମଞ୍ଜୁଳା ଓ ଶାଳକ ଶ୍ରୀକାନ୍ତ ମଜୁମଦାରଙ୍କ ପତ୍ତା ମଧ୍ୟ ଘଟଣା ଘଟିବା ପରଦିନଠାରୁ ମିଳୁନାହିଁ । ସେମାନଙ୍କୁ ହରଣଚାଳ କରାଯାଇଛି ବୋଲି ଅନୁମାନ କରାଯାଇଛି । ଏହା ଆନ୍ତଃପ୍ରାଦେଶିକ ଦସ୍ୟୁଦଳର କାମ ଓ ଏଥିରେ ବହୁ ରହସ୍ୟ ଜଡ଼ିତ ଅଛି ବୋଲି ଜଣାଶୁଣା ମହଲରୁ ପ୍ରକାଶ । ମି: ଚୌଧୁରୀ ଏହି ସମସ୍ୟାର ସମାଧାନ କରିପାରିବେ ବୋଲି ଆମେ ଆଶାକରୁ ।’’

 

ଦୈନିକ ଖବର କାଗଜଟା ଦୁଇହାତରେ ଦଳି ମୋଡ଼ି ଫିଙ୍ଗି ଦେଇ ‘ହାଃ ହାଃ’ ହୋଇ ହସି ଉଠିଲା ଦସ୍ୟୁ ପବନ ସିଂ । ସେ ଶଦ୍ଦରେ ପଥର ଗୁହାଟା ଥରି ଉଠୁଥିଲା ଯେପରି । ଓଃ, କି ପୈଶାଚିକ ସେ ହସ !

 

‘ସାବାସ୍‌ । ସାବାସ୍ ନଜିର ! ସାବାସ୍‌ ସେଠ୍‌ ଦୟାଲରାମ ! ତୁ ଅସଲି ନିମକସଚ୍ଚା ! ସମସ୍ତଙ୍କ ଆଖିରେ ଧୂଳି ଦେବାକୁ ତୋ’ପରି ଧୁରନ୍ଧର ମୁଁ ଦେଖିନି । ମୋର ସହକାରୀ ହେବାକୁ ତୁ ଏକମାତ୍ର ଉପଯୁକ୍ତ !’ ଆନନ୍ଦରେ ପ୍ରଗଳ୍‍ଭ ହୋଇପଡ଼ିଥିଲା ଦସ୍ୟୁ ପବନ ସିଂ ।

 

‘‘ଅହେମ୍ମଦ !’’ ଘଡ଼ଘଡ଼ି ପରି ତା’ର ଗୁରୁଗମ୍ଭୀର ଡାକରେ ଗୁହାଟା ଥରିଉଠିଲା ଯେମିତି । ଭିତରକୁ ସଙ୍ଗେ ସଙ୍ଗେ ପଶିଆସିଲା ଜଣେ ସାହେବ ପୋଷାକଧାରୀ ଯୁବକ । ଅଭିବାଦନ ଜଣାଇ ବିନୀତ ଭାବରେ ଆଦେଶ ଅପେକ୍ଷାରେ ରହିଲା ।

 

‘‘ଆଜି ନଜିରକୁ ଖବର ଦେ । କାଲି ଆସି ତା’ ପାଉଣା ନେଇଯାଉ । ମୁଁ ବଡ଼ ଖୁସି ଅଛି ତା’ ଉପରେ । ସାବଧାନରେ ଚିଠିଟି ଦେଇ ଆସିବୁ । ପୋଲିସ୍‌ ଜାଲ ବିଛାଇବା ଯୋଗାଡ଼ରେ ଅଛି-

 

ଅଭିବାଦନ ଜଣାଇ ଚାଲିଗଲା ଦସ୍ୟୁଜଣକ ।

 

ଘରର ଗୋଟାଏ କଣରୁ ମଦ ବୋତଲଟାଏ ଉଠାଇନେଇ ମୁହୂର୍ତ୍ତମଧ୍ୟରେ ଶେଷ କରିଦେଲା ଦସ୍ୟୁ ପବନ ସିଂ । ପୁଣି ଥରେ ମନ ଖୋଲି ହସିଦେଲା ସେ । ସେ ହସରେ ଗୁମ୍ଫାର ପଥରଗୁଡ଼ା ଥରି ଉଠୁଥିଲା ଯେମିତି । ନିଶାରେ ଟଳ ଟଳ ହୋଇ ଦସ୍ୟୁ ସର୍ଦ୍ଦାର ଟଳିପଡ଼ିଲା ଗୋଟିଏ ଚୌକୀ ଉପରେ ।

 

ଏହି ସମୟରେ ଜଣେ ବିରାଟକାୟ ଦସ୍ୟୁ ସେ ଘରକୁ ପଶି ଆସିଲା ! ଦେହରେ ତା’ର କଳା ପୋଷାକ । ତାକୁ ଦେଖି ପବନ ସିଂ ଚୌକୀରୁ ଉଠୁ ଉଠୁ ପଚାରିଲା–‘‘ଖବର କ’ଣ ହନୁମାନ୍‍ ସିଂ ?’’

 

‘‘ଦୁହିଙ୍କର ହୋସ୍‌ ଆସିଯାଇଛି ସର୍ଦ୍ଦାର !’’ ମୁଣ୍ଡ ନୁଆଇଁ କହିଲା ହନୁମାନ୍‍ ସିଂ । ‘‘ତେବେ ଡେରି କାହିଁକି ? ଘେନିଆସ ।’’

 

ଆଦେଶମାତ୍ରେ ଶ୍ରୀକାନ୍ତବାବୁ ଆଉ ମଞ୍ଜୁଳା ଦେବୀଙ୍କୁ ଧରି ସେ ଘରେ ପ୍ରବେଶ କଲା ହନୁମାନ୍‍ ସିଂ । ମଞ୍ଜୁଳା ଦେବୀଙ୍କ ଆଖିରୁ ଲୁହଧାର ବୋହି ଶୁଖିଯାଇଥାଏ । ଆଉ ଶ୍ରୀକାନ୍ତବାବୁଙ୍କ ଅବସ୍ଥା କହିଲେ ନ ସରେ । ଯାହା କହନ୍ତି, ଏକବାରେ ମୁମୂର୍ଷୁ ଅବସ୍ଥା !

 

ପବନ ସିଂକୁ ଦେଖି ନାଗୁଣୀପରି ଗର୍ଜି ଉଠିଲେ ମଞ୍ଜୁଳା ଦେବୀ । ‘‘ପବନ ସିଂ ତୁ ! ଯାହାର ଧନରେ ଦେହ ତୋର ଗଢ଼ା ହେଲା, ଯେ ତୋତେ ବାଟରୁ ଗୋଟାଇ ଆଣି ମଣିଷ କଲା, ଶେଷକୁ ତା’ର......’’ କଇଁ କଇଁ ହୋଇ କାନ୍ଦି ଉଠିଲେ ମଞ୍ଜୁଳା ଦେବୀ । କ୍ରୋଧ ଆଉ ଦୁଃଖରେ ଦେହ ତାଙ୍କର ଥରି ଉଠୁଥିଲା ।

 

ହୋ–ହୋ ହୋଇ ହସି ଉଠିଲା ଦସ୍ୟୁ ସର୍ଦ୍ଦାର । ସେ ବିକଟ ହସ ଦେଖି ଥରି ଥରି ମୂର୍ଚ୍ଚା ହୋଇ ପଡ଼ିଗଲେ ଶ୍ରୀକାନ୍ତବାବୁ । ତାଙ୍କ ଅବସ୍ଥା ଦେଖି ଦସ୍ୟୁ ହସି ଉଠିଲା ଆହୁରି ଜୋରରେ–‘‘ସବୁ ତୁମରିପାଇଁ ମଞ୍ଜୁଳା ଦେବୀ ! ତୁମର ରୂପ ମୋତେ ପାଗଳ କରି ଦେଇଛି, ସ୍ୱପ୍ନର ଅକୂଳ ସାଗରରେ ଭସାଇ ଦେଇଛି । ଏବେ ମୋର ମନକାମନା ପୂର୍ଣ୍ଣ । ଆଗାମୀ ଲଗ୍ନରେ ବିବାହ । ବାଧା ଦେବାରେ କାହାରି ସାଧ୍ୟ ନାହିଁ ।’’

 

‘‘ଚୁପ୍‍କର କୁକୁର ! ନିମକ୍ ହାରାମ୍ !’’ ଗର୍ଜିଉଠିଲେ ମଞ୍ଜୁଳା ଦେବୀ ।

 

‘‘ଆଉ ଦୁଇଦିନ; ତା’ପରେ ତୁମେ ହେବ ଏ ରାଜାର ରାଣୀ ।’’ ଦସ୍ୟୁର ଆଖି ନିଶାରେ ମୁଦି ହୋଇ ପଡ଼ିଥିଲା । କ’ଣ କହିବାକୁ ଯାଉଥିଲେ ମଞ୍ଜୁଳା ଦେବୀ । କିନ୍ତୁ ପବନ ସିଂହ ବିକଟ ହସରେ ମୁହଁର କଥା ମୁହଁରେ ହିଁ ରହିଗଲା ।

 

‘‘ହନୁମାନ୍‍ ସିଂ !’’

 

‘‘ସର୍ଦ୍ଦାର !’’ ପ୍ରବେଶ କଲା ପୁଣି ସେ ଦସ୍ୟୁ ।

 

‘‘ନେଇଯା’ । ଭାବିବାକୁ ଦେ ଏମାନଙ୍କୁ । ଉଠା ଏ ମାଇଚିଆକୁ ଆଗ ମୋ ଆଗରୁ !’’ ଗୋଡ଼ରେ ଆଡ଼େଇ ଦେଲା ଶ୍ରୀକାନ୍ତବାବୁଙ୍କୁ ।

 

ଆଜ୍ଞାମାତ୍ରେ ଶ୍ରୀକାନ୍ତବାବୁଙ୍କ ଅଚେତନ ଦେହଟାକୁ ଟେକିନେଇ ଚାଲିଗଲେ ହନୁମାନ୍‍ ସିଂ; ପଛେ ପଛେ ମଞ୍ଜୁଳା ଦେବୀ ।

 

ଝଡ଼ ବେଗରେ ଭିତରକୁ ପଶିଯାଇ ଅଭିବାଦନ ଜଣାଇଲେ ମି: ଚୌଧୁରୀ, ‘‘ମୋତେ ହଠାତ୍‌ ଏତେ ଜରୁରୀ...... ’’

 

‘‘ହଁ; ଖବରଟା ସେମିତି ଜବର୍ । କଥା କ’ଣ କି, ଆମର ଗୁପ୍ତ ପୋଲିସ୍‌ ବର୍ତ୍ତମାନ ଜଣାଇଛି ଯେ, ସେଠ୍‌ ଦୟାଲରାମ ତା’ର ସୁନା ଦୋକାନରେ ବସିଥିବା ବେଳେ ଜଣେ ଯୁବକ ମଟର ସାଇକେଲରେ ଆସି ତାକୁ ଚିଠି ଖଣ୍ଡିଏ ଦେଇଯାଇଛି । ଚିଠିଟି ନାଲି ଲଫାପାରେ ପଶିଥିଲା-। ସେଠ୍‌ ଦୟାଲରାମ ଚିଠିପାଇ ଘର ଭିତରକୁ ପଶିଗଲା । ପୁଣି ଅଳ୍ପ ସମୟ ମଧ୍ୟରେ ହସ ହସ ହୋଇ ବାହାରି ଆସିଲା । ମୁଁ ଭାବୁଛି, ସେ ଚିଠିଟା ଆମର ଜାଣିବା ନିଶ୍ଚୟ ଦରକାର ।’’ ‘‘ନିଶ୍ଚୟ ସାର୍‌ ! ତେବେ ଆପଣ ତାକୁ କେତେଟା କଥା ପଚାରିବା ବାହାନାରେ ଡକାନ୍ତୁ । ଇତିମଧ୍ୟରେ ମୁଁ ତା’ ଘରେ ପଶି ଚିଠି ତଲାସ କରିନେବି ।’’

 

‘‘ବେଶ୍‌ । ଆପଣ ପ୍ରସ୍ତୁତ ହୁଅନ୍ତୁ ।’’ କହି ଟେଲିଫୋନ ଉଠାଇଲେ ଏସ୍‌.ପି. ।

Image

 

–ତେର–

 

ସେଠ୍‌ ଦୟାଲରାମଙ୍କ ଘର ପଛପଟେ ପାଚେରୀ ଡେଇଁ ଘରେ ପ୍ରତ୍ୟେକଟି ଜିନିଷ ତନ୍ନ ତନ୍ନ କରି ଦେଖୁଥିଲେ ମି: ଚୌଧୁରୀ । ‘‘କିନ୍ତୁ ଚିଠି କାହିଁ ?’’ ଶୀଘ୍ର କାମ ସାରିବାକୁ ହେବ । ନୋହିଲେ କେହି ଆସିଯାଇ ପାରନ୍ତି । ଟେବୁଲ ପାଖକୁ ଆସିଲେ ମି: ଚୌଧୁରୀ । ଉପରେ ଏଣୁ ତେଣୁ କାଗଜ ପତ୍ର ଗୁଡ଼ା ଖେଳା ଖେଳି ହୋଇ ପଡ଼ିଛି । ନଜର ପଡ଼ିଲା ଡ୍ରୟାର ଉପରେ । ଟାଣିଦେଲେ ସେଟାକୁ । ମୁହଁରେ ତାଙ୍କର ହସ ଫୁଟି ଉଠିଲା–‘‘ଚିଠିଟା ଏଇଠି ତେବେ !’’ ସାବଧାନରେ ଖୋଲି ପଢ଼ି ନେଲେ । ତା’ପରେ ଡ୍ର’ରୁ ପିସ୍ତଲଟି ଉଠାଇ ନେଲେ । ଛଅଟି ଗୁଳି ଜୀବନ୍ତ ଅଛି ସେଥିରେ । ସେଇଟିକୁ ପକେଟରେ ପୂରାଇଲେ । ପୁଣି ପକେଟରୁ ଗୋଟିଏ ପିସ୍ତଲ କାଢ଼ି ତା’ଭିତରେ ରଖିଦେଲେ । ଘରର ଚାରିପଟେ ଥରେ ଭଲ ଭାବରେ ଦେଖିନେଇ ବାହାରକୁ ବାହାରି ଆସିଲେ ମି: ଚୌଧୁରୀ, ଖୁବ୍‌ ଶୀଘ୍ର ।

 

ଏସ୍. ପି. ସେ ପର୍ଯ୍ୟନ୍ତ ଏଣୁ ତେଣୁ କଥା ପଚାରୁଥିଲେ ସେଠ୍‌ ଦୟାଲରାମଙ୍କୁ । ଏହି ସମୟରେ ଘର ଭିତରକୁ ସସବ୍ୟସ୍ତେ ପଶିଗଲେ ମି: ଚୌଧୁରୀ । ତାଙ୍କୁ ଦେଖି ଏସ୍‌.ପି. ସାହେବ ପଚାରିବସିଲେ–‘‘ଆଉ ଖବର କ’ଣ ମି: ଚୌଧୁରୀ ?’’ ଦୁହେଁ ଦୁହିଁଙ୍କ ଚାହିଁବା ସଙ୍ଗେ ସଙ୍ଗେ କଥାବାର୍ତ୍ତା ହୋଇଗଲା ଆଖିରେ ଆଖିରେ ।
 

 

‘‘ଖବର ସାର୍ !’’ ସେଠ୍‌ ଦୟାଲରାମଙ୍କ ଉପସ୍ଥିତିରେ କହିବାକୁ ଟିକେ କୁଣ୍ଠିତ ହେଉଥିଲେ ଯେପରି ମି:ଚୌଧୁରୀ ।

 

‘‘କହନ୍ତୁ ! କହନ୍ତୁ ! ସେଠ୍‌ ଦୟାଲରାମ ତ ଆମର ଆପଣାର ଲୋକ । ସେ ଜାଣିଲେ କିଛି କ୍ଷତି ନାହିଁ ।’’ ସରଳ ଭାବରେ କିହଲେ ଏସ୍‌.ପି. ସାହେବ ।

 

‘‘ଆଜି ଶରତ୍‌କୁ ଓ ମୋତେ ପୁରୀ ଯିବାକୁ ହେବ ସାର୍‌ ! ଅନ୍ତତଃ ସାତ ଆଠ ଦିନପାଇଁ-।’’

 

‘‘କ’ଣ କିଛି ସନ୍ଧାନ ମିଳିଛି ନା କ’ଣ ?’’

 

‘‘ହଁ ସାର୍‌ ! ଖୁଣୀର । ମୁଁ ଚେଷ୍ଟା କରି ଦେଖେ, କ’ଣ ହେଉଛି ?’’

 

‘‘ଟିକେ ଭଲ ଭାବରେ ଚେଷ୍ଟା କରନ୍ତୁ ଆଜ୍ଞା ! ଆମକୁ ରକ୍ଷା କରନ୍ତୁ । ନୋହିଲେ ଆମେ ଆଉ ଚଳି ପାରିବୁ ନାହିଁ ।’’ ଥର ଥର କଣ୍ଠରେ କହି ପକାଇଲେ ସେଠ୍‌ ଦୟାଲରାମ । କିନ୍ତୁ ମନେ ମନେ ହସୁଥିଲେ ସେ ଏମାନଙ୍କ ବୋକାମୀ ଦେଖି ।

 

ରାତି ବାରଟା ।

 

ନିର୍ଗୁଣ୍ଡି–ତାଳଚେର ଲାଇନ୍‌ ନିକଟରେ ଅପେକ୍ଷା କରିଥିଲେ ମି: ଚୌଧୁରୀ । ତାଙ୍କ ଦେହ କଳା ଓଭର କୋଟରେ ଆବୃତ, ମୁଣ୍ଡରେ ଲୁହାର ଟୋପି, ହାତରେ ଗୁଳିଭରା ରିଭଲଭର୍ । ତୀକ୍ଷ୍‌ଣ ସନ୍ଧାନୀ ଦୃଷ୍ଟିରେ ବାରମ୍ବାର ଚତୁର୍ଦ୍ଦିଗକୁ ନିରୀକ୍ଷଣ କରୁଥିଲେ ସେ । ସପ୍ତମୀ ଚାନ୍ଦ ବୁଡ଼ିଗଲାଣି ସେତେବେଳକୁ ।

 

କାହାର ପାଦ ଶଦ୍ଦରେ ଚମକି ପଡ଼ିଲେ ସେ । ଛାଇପରି କ’ଣ ଗୋଟାଏ ଆଗେଇ ଯାଉଛି ଅନ୍ଧାରରେ ତାଙ୍କରି ସାମନା ଦେଇ । ମନରେ ତାଙ୍କର ଗୋଟିଏ କଥା ବାରମ୍ବାର ଉଙ୍କିମାରିଲା–ଏ ନିଶ୍ଚୟ ସେଠ୍‌ ଦୟାଲରାମ । ଯାହା ହେଉ; ପିଛା ଧରିବାକୁ ହେବ ତା’ର । ସତର୍କ ଭାବରେ ମୂର୍ତ୍ତି ପଛେ ପଛେ ଗୋଡ଼ ବଢ଼ାଇଲେ ସେ ।

 

ପ୍ରାୟ ଦୁଇମାଇଲ ଯାଏ ରେଳଲାଇନ କଡ଼େ କଡ଼େ ଗଲାପରେ ଜଙ୍ଗଲ ଆରମ୍ଭ ହେଲା-। ମୂର୍ତ୍ତିଟା ଜଙ୍ଗଲ ଭିତରକୁ ପଶିଗଲା । ତା’ ଗତିବିଧିରୁ ଜଣାଯାଉଥାଏ, ଏ ରାସ୍ତା ଯେମିତି ତା’ର ବହୁ ପୂର୍ବ ପରିଚିତ । କ୍ରମେ ଜଙ୍ଗଲ ନିବିଡ଼ ହୋଇଆସିଲା । କଳା ମୂର୍ତ୍ତି ହାତରେ ଟର୍ଚ୍ଚ ଜଳିଉଠିଲା-। ରାସ୍ତା ଅଗମ୍ୟ, ବଣୁଆ କଣ୍ଟା ଲଟା ଆଚ୍ଛନ୍ନ, ଏଣିକି ଆଉ ଠିଆହୋଇ ଯିବା ଅସମ୍ଭବ-। ନଇଁ ନଇଁ ମୂର୍ତ୍ତିଟା ଯାଉଥାଏ, ପଛରେ ଶିକାରୀ ବାଘଭଳି ମି: ଚୌଧୁରୀ ।

 

କିଛି ବାଟ ଏହିପରି ଗଲାପରେ ବେଶ୍‌ ଫର୍ଚ୍ଚା ଜାଗାରେ ପହଞ୍ଚିଗଲେ ଦୁହେଁ । ଆଗରେ ପାହାଡ଼ କାନ୍ଥି । ସ୍ଥାନ ସମ୍ପୂର୍ଣ୍ଣ ନିର୍ଜନ, ଭେରଣ୍ଡାଟାଏ ରଡ଼ି ଛାଡ଼ୁଥାଏ ଖଣ୍ଡେ ଦୂରରୁ । ମୂର୍ତ୍ତିଟା କାନ୍ଥଉପରେ ସାବଧାନତା ସହିତ ଚଢ଼ିବାରେ ଲାଗିଲା । ମି: ଚୌଧୁରୀ ବି ପଛେ ପଛେ । ପ୍ରାୟ ପଚାଶ ଫୁଟ ଯାଏ ଏହିପରି ଗଲାପରେ ଆଗରେ ପ୍ରକାଣ୍ଡ ଗଛଟାଏ ପଡ଼ିଲା । ତା’ର ତଳଟା ସମ୍ପୂର୍ଣ୍ଣ ଅନ୍ଧକାର, ଆଉ ବଡ଼ ବଡ଼ ପଥର ପୂର୍ଣ୍ଣ । ଗଛର ଡାଳଗୁଡ଼ିକ ବି ନଇଁ ଆସି ତଳେ ଲାଗି ଯାଇଛି । ଛାୟା ମୂର୍ତ୍ତି ସେଇ ଅନ୍ଧାରରେ ମିଳାଇ ଗଲା, ମି: ଚୌଧୁରୀଙ୍କ ଆଖିରେ ଧୂଳି ଦେଇ ।

 

‘ବର୍ତ୍ତମାନ ଉପାୟ କ’ଣ ?’ ଭାବୁଥିଲେ ମି: ଚୌଧୁରୀ । ଫେରିଯାଇ ହେବ ନାହିଁ କେବେହେଲେ । ‘‘ଯେ କୌଣସି ପ୍ରକାରେ ଖବର ନେବାକୁ ହେବ । ନୋହିଲେ ବିଚାରା ମି: ଆଲବର୍ଟ ଆଉ ମଞ୍ଜୁଳା ଦେବୀଙ୍କ ଅବସ୍ଥା !’’ ଭାବନାର ଖିଅ ଗୋଳମାଳ ହୋଇ ଯାଉଥାଏ ତାଙ୍କର । ସେଇ ଘୋର ଅନ୍ଧକାର ଭିତରେ ତାଙ୍କ ହାତର ଟର୍ଚ୍ଚ ଜଳି ଉଠିଲା ।

 

ଆଗରେ ଦୁଇଚାରି ଖଣ୍ଡି ଖୁବ୍‌ ବଡ଼ ପଥର ଛିଡ଼ା ହୋଇଛି; ସେଇ ପଥର ଉପରେ ଖଣ୍ଡେ ପ୍ରକାଣ୍ଡ ପଥର ଛାତପରି ଘୋଡ଼ାଇ ହୋଇ ରହିଛି–ମି: ଚୌଧୁରୀ ପାଖକୁ ଯାଇ ଦେଖୁଥିଲେ-। ପଥର ଫାଙ୍କରେ ଠିକ୍‌ ଜଣେ ଲୋକ ଚାଲିଯାଇ ପାରିବା ଭଳି ରାସ୍ତା । ମନଟା ତାଙ୍କର ଆନନ୍ଦରେ ନାଚି ଉଠିଲା । ଧୀରେ ଧୀରେ ଆଗେଇଗଲେ ସେ । ଏ କ’ଣ ? ଆଗରେ ସୁଡ଼ଙ୍ଗ ! ପଥର ପାହାଚ ଗୁଡ଼ା ଲମ୍ବିଯାଇଛି ତଳକୁ ! ବତୀ ଲିଭାଇ ଦେଇ ପିସ୍ତଲଟା ଥରେ ଭଲଭାବରେ ପରୀକ୍ଷା କରିନେଲେ ମି: ଚୌଧୁରୀ । ତା’ପରେ ସତର୍କତାର ସହିତ ପାଦ ପକାଇଲେ ପାହାଚରେ ତଳକୁ । ଉତ୍ତେଜନାରେ ଦେହ ତାଙ୍କର ଥରୁଥିଲା ।

 

ଏକ, ଦୁଇ କରି......ବତିଶଟି ପାହାଚ ଅତିକ୍ରମ କଲାପରେ ସେ ଗୋଟାଏ ପ୍ରଶସ୍ତ କୋଠରୀରେ ପହଞ୍ଚିଲେ । କୋଠରୀଟି ବଡ଼, କିନ୍ତୁ ଦ୍ୱାରଟି ଛୋଟ । ଆଖ ପାଖରେ ମଣିଷ ଥିଲାପରି ଜଣାଯାଉ ନାହିଁ । କିଟି କିଟି ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଆଗେଇ ଚାଲୁଥିଲେ ମି: ଚୌଧୁରୀ । ଚାରି ଛଅଟା କୋଠରୀ ପାର ହୋଇଗଲା ପରେ ଭିତରୁ ପାଟିଗୋଳ ଶୁଣାଗଲା । ‘‘ସେ ତେବେ ଠିକ୍‌ ଜାଗାରେ ପହଞ୍ଚିଛନ୍ତି ଏଥର’’ ମନେ ମନେ ଭାବୁଥିଲେ ମି: ଚୌଧୁରୀ ।

 

ଏତିକିବେଳେ ଖୁବ୍‌ ନିକଟରେ ପାଦଶଦ୍ଦ ଶୁଣାଗଲା । ଚମକି ପଡ଼ିଲେ ସେ । ଯଦି କେହି ତାଙ୍କୁ ଦେଖେ ? ପାଦଶଦ୍ଦ କ୍ରମେ ସ୍ପଷ୍ଟ ଶୁଣାଯାଉଛି । କାନ୍ଥର ଗୋଟିଏ କଣକୁ ଲାଗି ଠିଆହୋଇଗଲେ ମି: ଚୌଧୁରୀ । ତାଙ୍କ ଆଗଦେଇ ଲୋକଟାଏ ଚାଲିଯାଉଛି । ହାତରେ ତା’ର ଟର୍ଚ୍ଚ । ନିଶଦ୍ଦରେ ତା’ର ଅନୁସରଣ କରିବାକୁ ଲାଗିଲେ ସେ ।

 

ଆଗରେ ସଂକୀର୍ଣ୍ଣ କୋଠରୀଟିଏ । ଦ୍ୱାରରେ ମଜବୁତ୍‌ ଲୁହା, ରେଲିଂ ଦିଆଯାଇଛି । ସେହି ଦ୍ୱାର ଆଗରେ ଠିଆହୋଇ ଦସ୍ୟୁ ଜଣକ କ’ଣ କହୁଛି, କାନପାତି ଶୁଣିଲେ ମି: ଚୌଧୁରୀ । ‘‘କ’ଣ ଠିକ୍‌କଲ ଶ୍ରୀକାନ୍ତବାବୁ ! ଯଦି ନିଜର ମଙ୍ଗଳ ଚାହ, ତେବେ ଏ ପ୍ରସ୍ତାବରେ ରାଜି ହୋଇଯାଅ । ନୋହିଲେ ଏଠି ସଢ଼ି ସଢ଼ି ମରିବାକୁ ହେବ । ସର୍ଦ୍ଦାର ମଞ୍ଜୁଳା ଦେବୀଙ୍କୁ ବିବାହ କରିବ ଜବରଦସ୍ତ । ଭଲକରି ଭାବିରଖ, ଆଉ ଦୁଇଦିନ ।’’ ଚରମ ବାଣୀ ଶୁଣାଇ ଦସ୍ୟୁ ଫେରିଆସୁଥିଲା । ମି: ଚୌଧୁରୀ ପଶିଗଲେ ପାଖ କୋଠରୀ ଭିତରକୁ । ମନଟା ତାଙ୍କର ବଡ଼ ଆନନ୍ଦିତ ହୋଇଉଠିଲା ମି: ଆଲବର୍ଟ ଆଉ ମଞ୍ଜୁଳା ଦେବୀଙ୍କ ସନ୍ଧାନପାଇଁ । ଦସ୍ୟୁ ଚାଲିଗଲା ପରେ ସେ କୋଠରୀ ଭିତରୁ ବାହାରି ପଡ଼ିଲେ । ବନ୍ଧୀ ଘର ନିକଟକୁ ଯାଇ ଚାପାଗଳାରେ ଡାକିଲେ–‘‘ମି: ଆଲବର୍ଟ, ଆଲବର୍ଟ !’’

 

ଦସ୍ୟୁ ଗୁହାରେ ନିଜର ନାମ ଶୁଣି ଚମକି ପଡ଼ିଲେ ମି: ଆଲବର୍ଟ । ‘‘ତେବେ ଦସ୍ୟୁ କ’ଣ ତାଙ୍କୁ ଚିହ୍ନି ପାରିଛି ?’’ ଧୀରେ ଧୀରେ ଆଗେଇ ଆସିଲେ ସେ ଦରଜା ନିକଟକୁ ।

 

‘‘ମୁଁ ମି: ଚୌଧୁରୀ ।’’

 

‘‘ମାଇଁ ଗଡ୍‍ !’’ ବିସ୍ମୟାଭିଭୂତ ହୋଇ ପଡ଼ିଲେ ମି: ଆଲବର୍ଟ ।

 

ତା’ପରେ କିଛି ବେଳ ପର୍ଯ୍ୟନ୍ତ ଫୁସ୍‌ ଫାସ୍‌ କଥାବାର୍ତ୍ତା । ମି: ଚୌଧୁରୀ ପକେଟ୍‌ରୁ ପିସ୍ତଲଟିଏ କାଢ଼ି ବଢ଼ାଇଦେଲେ ଆଲବର୍ଟଙ୍କ ହାତକୁ । ଏତିକିବେଳେ ଖୁବ୍‌ ନିକଟରେ ପାଦଶଦ୍ଦ ଶୁଣାଗଲା । ମି: ଚୌଧୁରୀ ଆଲବର୍ଟଙ୍କ ହାତକୁ ଟିକିଏ ଚିପିଦେଇ ବାହାରି ଆସିଲେ ବିଜୁଳିପରି ।

 

ନିର୍ଗୁଣ୍ଡି ଷ୍ଟେସନରେ ଅପେକ୍ଷା କରିଥିଲା ଶରତ୍‌ । ମି: ଚୌଧୁରୀ କାରରେ ବସିବାକ୍ଷଣି କାର ଛୁଟି ଚାଲିଲା ଉଲ୍‌କା ବେଗରେ ।

 

ନୂତନ ପ୍ରଭାତ ଆଗମନର ସୂଚନା ଦେଉଥିଲା କୁଆଁ ତାରା–ଦୂର ଆକାଶରେ ।

Image

 

–ଚଉଦ–

 

ଏସ୍. ପି. ସବୁ ଶୁଣିସାରି କହିଲେ, ‘‘ଆସନ୍ତା କାଲି ବୋଧହୁଏ ‘ଦୁଇଦିନ ପର’କୁ ବୁଝାଉଛି ?’’

 

‘‘ହଁ, ସାର୍ ! ନିଶ୍ଚିତ ରୂପେ !’’

 

‘‘ତେବେ ଆମକୁ କି ଭାବରେ ପ୍ରସ୍ତୁତ ହୋଇ ଯିବାକୁ ହେବ ।’’

 

‘‘ଅନ୍ତତଃ ତିରିଶଜଣ ସଶସ୍ତ୍ର ବଳବାନ୍ ପୋଲିସ୍‌ ଆଉ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ-।’’

 

‘‘ବେଶ୍‌ ! ମୁଁ ଅର୍ଡ଼୍‌ର କରିଦେଉଛି; ଆପଣ ଯୋଗାଡ଼ କରିନିଅନ୍ତୁ । ହଁ, ସେଠ୍‌ ଦୟାଲରାମର ବ୍ୟବସ୍ଥା ?’’

 

‘‘ତାକୁ କାଲି ଗିରଫ୍‌ କରିନେବାକୁ ହେବ..... ତେବେ ସନ୍ଧ୍ୟାପରେ । ଏଟା ଯେତେ ଗୁପ୍ତରେ ହୋଇପାରେ ।’’

 

‘‘ତା’ତ କରାଯିବ; ଆଚ୍ଛା ! ସେଠ୍‌ ଦୟାଲରାମ ଜାଲରୁ ଖସିବାର ଉପାୟ କରୁନାହିଁତ ?

 

‘‘ମୋର ଅନୁମାନ–ସେମାନେ ଜାଣି ପାରି ନାହାନ୍ତି ।’’

 

‘‘ତେବେ ଆପଣ ଆୟୋଜନରେ ଲାଗିପଡ଼ନ୍ତୁ । ମୁଁ ଟିକେ ଆଇ: ଜି: ସାହେବଙ୍କ ସାଥିରେ କଥାବାର୍ତ୍ତା କରିଆସେ ।’’

 

ଅଭିବାଦନ ଜଣାଇ ଫେରିଆସିଲେ ମି: ଚୌଧୁରୀ ।

 

ସନ୍ଧ୍ୟା; ସାତଟା ବାଜିଲା ପରେ ପରେ କାର୍‌ଟାଏ ଅଟକିଲା ସେଠ୍‌ ଦୟାଲରାମଙ୍କ ଘର ଆଗରେ । ଭିତରୁ ଏସ୍‌.ପି. ସାହେବ ଆଉ ମି: ଚୌଧୁରୀ ଓହ୍ଲାଇ ସିଧା ଚାଲିଲେ ଭିତରକୁ ।

 

ଡ୍ରଇଂ ରୁମରେ ବସି କ’ଣ ଲେଖୁଥିଲେ ସେଠ୍‌ ଦୟାଲରାମ । ବାହାରେ ବହୁ ପାଦଶଦ୍ଦ ଶୁଣି କାଗଜ ଖଣ୍ଡ ରଖି ଦେଉ ଦେଉ ଝଡ଼ପରି ଭିତରକୁ ପଶିଆସିଲେ ମି: ଚୌଧୁରୀ । ତାଙ୍କ ପଛେ ପଛେ ଏସ୍. ପି. ସାହେବ । ମି: ଚୌଧୁରୀ ଟେବୁଲ ପାଖକୁ ଯାଇ ହାତରେ ଗୁଡ଼ା ହୋଇ ଧରିଥିବା କାଗଜଟାକୁ ଖୋଲି ରଖିଦେଲେ ସେଠ୍‌ଜୀଙ୍କ ସାମନାରେ । କାଗଜଟା ଉପରେ ଆଖି ବୁଲାଇନେଲେ ଥରେ ସେଠ୍‌ଜୀ । ବିସ୍ମୟରେ ଆଖି ବିଷ୍ଫାରିତ ହୋଇ ପଡ଼ିଲା ତାଙ୍କର ।

 

‘‘ମୋତେ ତା’ହେଲେ ଚିହ୍ନି ପାରିଚନ୍ତି ଆପଣ !’’

 

‘‘ହଁ, ନଜିର ଖାଁ ଓରଫ ବ୍ରାଞ୍ଚ୍‌ ମ୍ୟାନେଜର ସେଠ୍‌ ଦୟାଲରାମ ! ମୋ ଆଖିରେ ଧୂଳି ପକାଇ ଖସିଯିବା ତୋ ପକ୍ଷରେ ସେତେ ସହଜ ନୁହେଁ । ରାଧାମାଧବବାବୁର ହତ୍ୟା ଦିନରୁ ମୁଁ ତୋତେ ଚିହ୍ନି ପାରିଛି ।’’

 

‘‘କିନ୍ତୁ ରାଧାମାଧବବାବୁକୁ ତ ମୁଁ ଖୁନ୍‌ କରିନି ।’’

 

‘‘ମୋତେ ଫାଙ୍କି ଦେବାର ଚେଷ୍ଟା କରନା ବ୍ରାଞ୍ଚ୍‍ ମ୍ୟାନେଜର ! ରାଧାମାଧବବାବୁକୁ ଜହରତ୍‌ ଖରିଦ୍ କରିବା ଉଦ୍ଦେଶ୍ୟରେ ଡକାଇ ନେଲୁ, ଆଉ ବିଷ ଦେଇ ମାରିଲୁ । ସେଥି ସଙ୍ଗେ ସଙ୍ଗେ ଲକ୍ଷେ ଟଙ୍କା ଧରି ନିର୍ଗୁଣ୍ଡିଠେଇଁ ଖସିଗଲୁ । ତୋର ପାଦ ଆଉ ପାପୁଲୀ ଚିହ୍ନ ପାଇଛି । ସେଦିନ ଏଣେ ମୋର ଗାଡ଼ି ଅସଜ କରାଇଦେଲୁ ତୁ । ତା’ପରେ ଜୟମାଧବକୁ ଖୁନ୍‌ କରିବାର ଷଡ୍‌ଯନ୍ତ୍ର କଲୁ । ତୋର ଦୁର୍ଭାଗ୍ୟକୁ ସେ ମରଣ ହାତରୁ ରକ୍ଷା ପାଇଗଲେ । ବର୍ତ୍ତମାନ ଆଲ୍ଲାଦ୍ଦିନ୍ ବିଚାରା ଜେଲଖାନାରେ ସଢ଼ୁଥିବ । ଆଲ୍ଲାଦ୍ଦିନ୍‌କୁ ଯେଉଁ ପାଞ୍ଚଶହ ଟଙ୍କା ଦେଇଥିଲୁ ତାହା ରାଧାମାଧବବାବୁଙ୍କ ଲକ୍ଷେଟଙ୍କା ଭିତରୁ । ମୁଁ ନମ୍ବର ମିଳାଇ ଦେଖିଛି । ଖାଲି ବକ୍‌ସିସ୍ ଆଶାରେ ମଞ୍ଜୁଳାକୁ ହରଣଚାଳ କଲୁ, ଆଉ ଶ୍ରୀକାନ୍ତବାବୁଙ୍କୁ ବି । କିନ୍ତୁ ସେ ମଞ୍ଜୁଳାର ମାମୁଁ ନୁହେଁ, ମି: ଆଲବର୍ଟ !’’

 

‘‘ଏଁ ! ମି: ଆଲବର୍ଟ ! ଜୟମାଧବ ଜୀବିତ ?’’ ନଜିର ଆଖି ଆଗରେ ଘରଟା ଚକ ପରି ଘୂରି ଯାଉଥିଲା ଯେମିତି ।

 

‘‘ସବୁ କ୍ଷେତ୍ରରେ ଶ୍ରେଷ୍ଠ ଅଭିନେତା ଭଳି ଅଭିନୟ କରିପାରିଛୁ ତୁ ! ଶରତ୍‌କୁ ବି ତୋର ଘେର ଭିତରେ ପକାଇବାକୁ ଭୁଲି ନାହୁଁ ତୁ !’’

 

‘‘ଆଉ ତତେ ବି ଭୁଲି ନାହିଁ ବଦ୍‌ମାସ ଗୋଏନ୍ଦା !’’ ବିଜୁଳି ଝଲକରେ ଡ୍ର’ରୁ ପିସ୍ତଲ କାଢ଼ି ମି: ଚୌଧୁରୀଙ୍କ ଛାତିକୁ ଲକ୍ଷ୍ୟ କରି ଗର୍ଜିଉଠିଲା ନଜିର–‘‘ନଜିର ଖାଁକୁ ଗିରଫ୍‌ଦାର କରିବା ତୋ ପରି ମୂର୍ଖ ଗୋଏନ୍ଦାର ଶକ୍ତି ବାହାରେ । ଏବେ ମରିବାକୁ ପ୍ରସ୍ତୁତ ହୋଇପଡ଼ ବନ୍ଧୁ !’’

 

 

ନଜିର ଖାଁର ଭୀମ ମୂର୍ତ୍ତି ଦେଖି କାଠ ପାଲଟି ଯାଇଥିଲେ ଏସ୍‌.ପି. ସାହେବ । ଭୟାବହ ମୃତ୍ୟୁର କଳ୍ପନା କରି ଯାଉଥିଲେ ସେ ।

 

‘‘ତୋ ହାତରେ ମୃତ୍ୟୁ ମି: ଚୌଧୁରୀର ଲଲାଟ ଲିଖନ ନୁହେଁ, ନଜିର ! ବେକରେ ଫାଶୀ ଦଉଡ଼ି ଲାଗିବା ଆଗରୁ ମଣିଷ ଠିକ୍‌ ତୋରି ପରି ଭୁଲ କରିବ । ଏ ତା’ର ସୂଚନା ମାତ୍ର ।’’

 

ନଜିର ଖାଁ ହାତର ପିସ୍ତଲ ଗୁଡ଼ୁମ୍‌ ଗୁଡ଼ୁମ୍‌ ଶଦ୍ଦ କରି ଅଗ୍ନି ଉଦ୍‌ଗାର କରି ଚାଲିଥିଲା । ଛଅଟି ଗୁଳି ଶେଷ । ଧୂଆଁ ଭେଦ କରି ଉଦ୍ୟତ ରିଭଲଭର୍ ହସ୍ତରେ ଆଗେଇ ଯାଉଥିଲେ ମି: ଚୌଧୁରୀ ।

 

‘‘ବ୍ଳାଙ୍କ୍‌ ଫାୟାର୍‌ ବନ୍ଧୁ, ବ୍ଳାଙ୍କ୍‌ ଫାୟାର୍‌ ! ମୁଁ ତୁମକୁ ଅଭିନନ୍ଦନ ଜଣାଉଛି ବ୍ରାଞ୍ଚ୍‌ ମ୍ୟାନେଜର !’’

 

ପିସ୍ତଲଟା ଖସିପଡ଼ିଲା ନଜିର ଖାଁ ହାତରୁ । ହସୁ ହସୁ ହାତକଡ଼ି ପିନ୍ଧାଇଦେଲେ ମି: ଚୌଧୁରୀ ।

 

ପ୍ରତିମାପରି ଠିଆ ହୋଇ ଦେଖୁଥିଲେ ଏସ୍‌.ପି. ସାହେବ ।

 

ରାତି ଦଶଟା ବାଜିଲା ବେଳକୁ ନିର୍ଗୁଣ୍ଡି ଷ୍ଟେସନରେ ପହଞ୍ଚି ସାରିଥିଲା ପୋଲିସ୍ ଭ୍ୟାନ୍‌ ଦୁଇଖଣ୍ଡ । ତିରିଶ ଜଣ ସୁଶିକ୍ଷିତ ପୋଲିସ୍‌ଙ୍କ ପରିଚାଳନାକରି ଯାଉଥିଲେ ମି: ଚୌଧୁରୀ, ଶରତ୍, ଆଉ ଏସ୍‌.ପି. ସାହେବ । ନିଃଶଦ୍ଦରେ ଜଙ୍ଗଲଭିତର ଦେଇ ଆଗେଇ ଯାଉଥିଲେ ଏମାନେ ଛାୟାପରି ।

 

ତେଣେ ମହା ଆନନ୍ଦ କୋଳାହଳ ଲାଗିରହିଥିଲା ଦସ୍ୟୁ ଗୁହାରେ । ଆଜି ବିବାହ ତିଥି ! ପୈଶାଚିକ ମୁହୂର୍ତ୍ତର କଳ୍ପନା କରି ମୂର୍ଚ୍ଛିତ ହୋଇ ପଡ଼ିଥିଲେ ମଞ୍ଜୁଳା ଦେବୀ । ତାଙ୍କୁ ସାନ୍ତ୍ୱନା ଦେବା ସଙ୍ଗେ ସଙ୍ଗେ ଦସ୍ୟୁ ଦଳର ଗତିବିଧି ଲକ୍ଷ୍ୟ କରୁଥିଲେ ଶ୍ରୀକାନ୍ତବାବୁ ଓରଫ ମି: ଆଲବର୍ଟ ।

 

ସୁସଜ୍ଜିତ ବିବାହ ମଣ୍ଡପ ; ମଶାଲ ଆଲୋକରେ ବେଶ୍‌ ଆଲୋକିତ ହୋଇଛି ସ୍ଥାନଟି । ମଦ ନିଶାରେ ବିଭୋର ଦସ୍ୟୁଦଳ ମଣ୍ଡପର ଆଖପାଖରେ ଅଣାୟତ୍ତ ଅବସ୍ଥାରେ ପଡ଼ିଛନ୍ତି । ଜଣେ ଦୁଇଜଣ ଖାଲି ଏପଟ ସେପଟ ହେଉଛନ୍ତି ଯାହା; ସେ ବି, ଟୁଳ୍‍ଟୁଳ୍‌ ।

 

ଏତିକିବେଳେ ବର ବେଶରେ ସୁସଜ୍ଜିତ ହୋଇ ପହଞ୍ଚିଲା ସର୍ଦ୍ଦାର ପବନ ସିଂ । ନାଟକୀୟ ଛଟାରେ ବିବାହ ମଣ୍ଡପ ଉପରେ ଠିଆହୋଇ ବକ୍ତୃତା ଆରମ୍ଭ କରିଦେଲା ଦସ୍ୟୁଦଳ ପ୍ରତି–

 

‘‘ବନ୍ଧୁଗଣ !

 

ଆଜି ଗୋଟିଏ ଶୁଭରାତ୍ରି ଉପସ୍ଥିତି । ଆମେ ଆଜି ଦରିଦ୍ର ନୋହୁ..... କୋଟିପତି । ରାଧାମାଧବବାବୁର ସମସ୍ତ ସମ୍ପତ୍ତି ମୋର ହସ୍ତଗତ ହେବାକୁ ଯାଉଛି । ତା’ ସହିତ ନାରୀରତ୍ନ । ସେ ରାଧାମାଧବର କନ୍ୟା ମଞ୍ଜୁଳା । ଅଚଳାଚଳ ସମ୍ପତ୍ତିର ଅଧିକାରୀ ହୋଇ ମୁଁ ଭଦ୍ର ସମାଜରେ ଆଧିପତ୍ୟ ବିସ୍ତାର କରିବି, ଆଉ ତୁମମାନଙ୍କ ସହଯୋଗରେ ଏ ପୃଥିବୀ ଲୁଟ୍‌ କରିଦେଇ ପାରିବି । କିନ୍ତୁ ଦୁଃଖର କଥା......ଏ ଆନନ୍ଦ ଉତ୍ସବରେ ସର୍ଦ୍ଦାର ପଞ୍ଜାବ ସିଂ ଆଉ ଦଳର ବଡ଼ ବଡ଼ ନେତାମାନେ ଯୋଗ ଦେଇ ପାରି ନାହାନ୍ତି । ସେମାନେ ବର୍ତ୍ତମାନ ଜେଲର ଅନ୍ଧାରି କୋଣରେ ସଢ଼ୁଛନ୍ତି । ସେମାନଙ୍କୁ ସେଥିରୁ ମୁକୁଳାଇବାର ଆଉ ଚିର ଶତ୍ରୁ ମି: ଚୌଧୁରୀର ଶେଷ ସାଧନ କରିବା ଆମର କର୍ତ୍ତବ୍ୟ ।

 

ଆଜି ଆମର ଏ ସୌଭାଗ୍ୟ ଏକମାତ୍ର ନଜିର ଖାଁର କୌଶଳ ଆଉ କର୍ମତତ୍ପରତା ଯୋଗୁଁ ସମ୍ଭବ ହୋଇଛି । ସେ ମୋର ସହକାରୀ ହେବାକୁ ଉପଯୁକ୍ତ । ସେ ବୋଧହୁଏ ବର୍ତ୍ତମାନ ଆସିଯିବ । ବର୍ତ୍ତମାନ ଶୁଭଲଗ୍ନ ଉପସ୍ଥିତ । କାର୍ଯ୍ୟ ଆରମ୍ଭ ହେଉ । ଭଣ୍ଡାରରେ ମଦ ଆଉ ଧନର ଅଭାବ ନାହିଁ । ଖାଅ, ପିଅ, ମଉଜ କର ।’’

 

ଇଙ୍ଗିତ ମାତ୍ରେ ଦୁଇଜଣ ବିଶାଳକାୟ ଦସ୍ୟୁ ଟେକି ଟେକି ଘେନି ଆସିଲେ ଶ୍ରୀକାନ୍ତବାବୁ ଆଉ ମଞ୍ଜୁଳା ଦେବୀଙ୍କୁ ବେଦୀ ନିକଟକୁ । ମଞ୍ଜୁଳା ଦେବୀ ମୂର୍ଚ୍ଛିତା ସେତେବେଳକୁ । ମି: ଆଲବର୍ଟଙ୍କ ଆଖି ରାଗରେ ଦାଉ ଦାଉ ଜଳିଉଠୁଥିଲା ଯେମିତି । ଏଣେ ପୋଲିସ୍‌ ବାହିନୀ ଘେନି ଗୁହାଭିତରେ ଆଗେଇ ଯାଉଥିଲେ ମି: ଚୌଧୁରୀ, ଉଦ୍ୟତ ରିଭଲଭର୍‌ ହାତରେ ।

 

‘‘ଶ୍ରୀକାନ୍ତବାବୁ ! କନ୍ୟାଦାନ କରିବାକୁ ଶେଷ ସିଦ୍ଧାନ୍ତ କଲ ବୋଧହୁଏ ? ତେବେ ତୁମର କୌଣସି ସିଦ୍ଧାନ୍ତକୁ ପବନ ସିଂ ଅପେକ୍ଷା କରେ ନାହିଁ । ସେ ବିବାହ କରିବ ନିଶ୍ଚୟ । ଆଉ ତୁମକୁ କନ୍ୟା ଟେକି ଦେବାକୁ ହେବ ତା’ ହାତରେ ନିଶ୍ଚୟ । କୌଣସି ଶକ୍ତି ଏଥିରେ ବାଧା ସୃଷ୍ଟି କରିପାରିବ ନାହିଁ ।’’ ହୋ–ହୋ ହୋଇ ହସି ଉଠିଲା ପବନ ସିଂ !

 

ଆହତ ସର୍ପପରି ଠିଆ ହୋଇ ପଡ଼ିଲେ ଶ୍ରୀକାନ୍ତବାବୁ ‘‘ଏ ବିବାହ କଦାପି ହୋଇ ନ ପାରେ ପିଶାଚ !’’ ହାତରେ ତାଙ୍କର ପିସ୍ତଲ ଠକ୍‌ ଠକ୍ କରି ଉଠୁଥିଲା । ‘‘ମି: ଆଲବର୍ଟ ଏ ପୈଶାଚିକ କାଣ୍ଡ ସହ୍ୟ କରିପାରେନା !’’

 

ଚମକି ପଡ଼ି ପାଦେ ପଛକୁ ହଟିଗଲା ପବନ ସିଂ ! ‘‘ଓଃ ! ମି: ଆଲବର୍ଟ ! ତୁମେ ଜାଣିଛ ସବୁ ତେବେ ?’’

 

ପର ମୁହୂର୍ତ୍ତରେ ଶକ୍ତ ଆଘାତ ପାଇ ମି: ଆଲବର୍ଟଙ୍କ ହାତର ରିଭଲଭର୍ ଛଟିକି ପଡ଼ିଲା ତଳେ । ପଛରେ ତାଙ୍କର ଜଣେ ଦସ୍ୟୁ ଯେ ରହିଛି, ଏକଥା ତାଙ୍କୁ ଜଣା ନ ଥିଲା । ଚାରିଜଣ ବଳବାନ୍‌ ଦସ୍ୟୁ ବାନ୍ଧି ପକାଇଲେ ତାଙ୍କୁ, ଗୋଟାଏ ଗଛ ଦେହରେ ।

 

ହାଃ–ହାଃ ହୋଇ ପୁଣି ଥରେ ହସି ଉଠିଲା ପବନ ସିଂ । ‘‘ଏଥର ମି: ଆଲବର୍ଟ ! ସବୁ ସହ୍ୟ କରିପାରିବ ବୋଧହୁଏ ? ହନୁମାନ୍ ସିଂ !’’

 

ଠିଆହୋଇ ପଡ଼ିଲା ହନୁମାନ୍‌ ସିଂ । ହାତରେ ତା’ର ଛୁରାଟା ଚକ୍ ଚକ୍ କରି ଉଠୁଥିଲା-। ‘‘ଦେଖିନେ ତ, ଏ ମି: ଆଲବର୍ଟ ଗୋଏନ୍ଦାକୁ । ପବନ ସିଂ ଗୁହାକୁ ଆସିଛି ଜାଣି ଜାଣି, ତା’ର ଲଘୁ ଦଣ୍ଡ ମୃତ୍ୟୁ ଛଡ଼ା ଆଉ କିଛି ହେବା ଉଚିତ ନୁହେଁ ।’’

 

ପୋଲିସ୍‌ ବାହିନୀ ଦସ୍ୟୁ ଦଳର ଚାରିପଟେ ବ୍ୟୁହ ରଚନା କରିଗଲେଣି ସେତେବେଳକୁ-। ଖାଲି ଏକମାତ୍ର ଅପେକ୍ଷା ଆଦେଶର । ହନୁମାନ୍‌ ସିଂ ଛୁରାଟା ଧରି ଆଗେଇ ଯାଉଥିଲା ମି: ଆଲବର୍ଟଙ୍କ ନିକଟକୁ । ମି: ଆଲବର୍ଟ ଅସହାୟଙ୍କପରି ଚାହୁଁ ଥିଲେ ଚାରି ଆଡ଼କୁ । ‘‘କାହାନ୍ତି ମି: ଚୌଧୁରୀ ?’’ ହନୁମାନ୍‌ ସିଂର ହାତ ଉପରକୁ ଉଠିଲା । ଆଉ ମୁହୂର୍ତ୍ତେ ମାତ୍ର ! ଚିତ୍କାର କରି ଉଠିଲେ ମଞ୍ଜୁଳା ଦେବୀ । ଆଖି ବୁଜି ପକାଇଲେ ମି: ଆଲବର୍ଟ । ପବନ ସିଂ ହସିଉଠିଲା ଖୁବ୍‌ ଜୋରରେ । ‘ଗୁଡୁମ୍‌ !’ ଶଦ୍ଦ ସଙ୍ଗେ ସଙ୍ଗେ ଚିତ୍କାର କରି ବସି ପଡ଼ିଲା ହନୁମାନ୍ ସିଂ । ଦସ୍ୟୁ ଦଳ ଚମକି ପଡ଼ିଲେ । କିଛି ବୁଝିବା ପୂର୍ବରୁ ପାଖ ଗଛ ଉହାଡ଼ରୁ ବାହାରି ଆସିଲେ ଉଦ୍ୟତ ରିଭଲ୍‌ଭର୍‌ ହାତରେ ମି: ଚୌଧୁରୀ । ପିସ୍ତଲ ମୁହଁରୁ ସେ ପର୍ଯ୍ୟନ୍ତ ଧୂଆଁର ଧୀର ସ୍ରୋତ ଚାଲିଥିଲା-

 

‘‘ହାତ ଉଠାଅ ଦସ୍ୟୁ ଦଳ !’’

 

ପଳାଇବାର ଉପାୟ ନାହିଁ । ଯେଉଁ ଆଡ଼କୁ ଚାହିଁଲେ ସେଆଡ଼େ ପୋଲିସ୍‌ର ସଙ୍ଗୀନ୍‌ ଚକ୍‍ ଚକ୍ କରି ଉଠୁଛି; ତା’ ସହିତ ରାଇଫଲ୍‌ ବି ଦରକାର ହେଲେ ଅଗ୍ନି ଉଦ୍‌ଗାର କରିବାକୁ ଟାକି ବସିଥିଲା ।

 

‘‘ପବନ ସିଂ ! ତୁମର ପ୍ରିୟ ସହକାରୀ ବର୍ତ୍ତମାନ ଜେଲରେ ତୁମପରି ପ୍ରଭୁକୁ ଛାଡ଼ି । ସେ ନିଃସଙ୍ଗ ଜୀବନ ଯାପନ କରିପାରୁ ନାହିଁ । ତେଣୁ ମୋତେ ତୁପାଖକୁ ପଠାଇଛି, ତୁମକୁ ସ୍ୱାଗତ କରି ନେବାକୁ ।’’ କହି ହସୁ ହସୁ ହାତକଡ଼ି ପିନ୍ଧାଇଦେଲେ ପବନ ସିଂ ହାତରେ ।

 

ସମସ୍ତ ଦଳଟା ଏକ ରଜ୍ଜୁରେ ଶ୍ରେଣୀବଦ୍ଧ ଭାବରେ ବନ୍ଧାହୋଇ ଚାଲୁଥିଲେ ରାଇଫଲ୍‌ ନଳୀଆଗରେ । ପଛରେ ମି: ଆଲବର୍ଟ, ମି: ଚୌଧୁରୀ ।

 

ସୂର୍ଯ୍ୟ ଉଠିଆସୁଥିଲେ ଦିକ୍-ରେଖା ତଳୁ । ସକାଳର ପାତଳା କୁହୁଡ଼ି ଅପସରି ଯାଉଥିଲା ଧୀରେ ଧୀରେ.....

 

‘‘ଜେଲଖାନାର ପଥର ପାଚେରୀ ଅଟକାଇ ରଖିପାରିଲା ନାହିଁ, ଏ ଦୁର୍ଦ୍ଦାନ୍ତ ଦସ୍ୟୁଦଳକୁ-। ବୈଜ୍ଞାନିକ ଉପାୟରେ ପାଚେରୀ ଭାଙ୍ଗି ଭୀଷଣ ଚାଞ୍ଚଲ୍ୟ ସୃଷ୍ଟିକଲେ ଏମାନେ; କିନ୍ତୁ ବିଖ୍ୟାତ ଡିଟେକ୍‌ଟିଭ୍‌ ମି: ଚୌଧୁରୀଙ୍କୁ ପରାଜିତ କରି ପାରିବା ତାଙ୍କର ଶକ୍ତିର ବାହାରେ । ଶେଷ ପରିମାଣ କ’ଣ ହେଲା–

 

ରୋମାଞ୍ଚ କାହାଣୀ ‘‘ଲହୁର ଢେଉ’’ରେ ପଢ଼ିବେ ।’’

Image